ଆଜି ଭୁବନେଶ୍ୱରରୁ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୩୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୦୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଂଗରୋଧରୁ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୭ ଜଣଙ୍କର ଯାତ୍ରା ବିବରଣୀ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନାର ଶିକାର ହୋଇଛନ୍ତି।


ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ବାଣୀବିହାର ପଥରବନ୍ଧରୁ ୧୪ ଜଣ, ରିଜର୍ଭ ପୁଲିସ କଲୋନିରୁ ୮ ଜଣ, ନିଳାଦ୍ରୀ ବିହାର ରିକ୍ସା କଲୋନିରୁ ୬ ଜଣ, ଡୁମଡୁମା ଏଚ୍‌ବି କଲୋନି, ବାରବାରି ସାହି, ନିଳାଦ୍ରୀ ବିହାର ପଣ୍ଡା ପାର୍କ ନିକଟ, ରାଧାକୃଷ୍ଣ ବସ୍ତିରୁ ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ଏକ ଘରୋଇ ହସ୍‌ପିଟାଲରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିନ୍ତାମଣିଶ୍ୱରସ୍ଥିତ ଏକ ମୁଢ଼ିମିଲ, ଭିଏସ୍‌ଏସ୍‌ ନଗର, ୭ମ ବାଟାଲିଅନ, ଗଜପତି ନଗର, ନୟାପଲ୍ଲୀରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।