ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ୩୩୭୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୩,୩୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।


ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୫୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୩୧୮ଟି ହେଉଛି ଲୋକାଲ୍ କେସ୍‌।

ରାଜ୍ୟର ୩୦ଟି ଜିଲ୍ଲାରୁ ଏହି ୩,୩୭୧ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୪୭ ଜଣ ଅଛନ୍ତି। ସେହିପରି କଟକରୁ ୩୫୭ ଜଣ ଓ ଗଞ୍ଜାମରୁ ୧୯୬ ଜଣ ଚିହ୍ନଟ ହୋଇଛନ୍ତି।

ଭଦ୍ରକରୁ ୧୧୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୧୭୩, ମାଲକାନଗିରିରୁ ୧୩୪, ନୟାଗଡ଼ରୁ ୧୭୧, ପୁରୀରୁ ୧୪୪, ସମ୍ବଲପୁରରୁ ୧୦୭, ରାୟଗଡ଼ାରୁ ୧୪୬ ଓ ସୁନ୍ଦରଗଡ଼ରୁ ୧୫୪ ଜଣ ଚିହ୍ନଟ ହୋଇଛନ୍ତି।

୩,୩୭୧ ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫୯,୪୭୦ ସୁସ୍ଥ ହୋଇ ସାରିଥିବା ବେଳେ ୨୭,୬୩୮ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୪୪୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।