ପୁଣିଥରେ ଡଙ୍ଗା ଭଡା କରି ଜଳପଥରେ ଚେନ୍ନାଇରୁ ଗଞ୍ଜାମ ଫେରୁଛନ୍ତି ପ୍ରବାସୀ ଶ୍ରମିକ

ବ୍ରହ୍ମପୁର: ଲକ୍ ଡାଉନ୍ ଯୋଗୁଁ ଚାରିଆଡେ ବନ୍ଦ ଥିବାରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଅସମ୍ଭବ ହୋଇଛି । ତେବେ ଏହା ମଧ୍ୟରେ ପ୍ରବାସୀ ଓଡ଼ିଆ ରାଜ୍ୟ ବାହାରୁ ନିଜ ଭିଟାମାଟିକୁ ଆସିବା ପାଇଁ ଅଛନ୍ତି ବ୍ୟାକୁଳ । ଯେଉଁଥିପାଇଁ ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବି ପଛାଉ ନାହାନ୍ତି । କିଛିଦିନ ପୂର୍ବେ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା । ସେମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଡଙ୍ଗା କିଣି ଜଳପଥରେ ନିଜ ଭିଟାମାଟିକୁ ଫେରିବାରେ ଲାଗିଛନ୍ତି । ତେବେ ପୁନର୍ବାର ଏହି ଚିତ୍ର ଦେଖିବାକୁ ମିଳିଛି ।

ଗତ ଦୁଇ ଦିନ ତଳେ ଚେନ୍ନାଇରୁ ୩୮ ଜଣ ଶ୍ରମିକ ଏକ ବୋଟରେ ସୋନାପୁରରେ ପହଂଚିଥିଲେ  । ଏମାନେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ କ୍ୱାରାଣ୍ଚାଇନରେ ରଖିଛି  । ପୁଣି ଆଜି ଚେନ୍ନାଇରୁ ୩୩ଜଣ ଶ୍ରମିକ ସମୁଦ୍ରରେ ଏକ ଡଙ୍ଗାରେ ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ଆସୁଥିବା ସୂଚନା ମିଳିଛି  । ଏହି ୩୩ଜଣ ଚେନ୍ନାଇର କାଶୀମେଡୁ ଫିସିଙ୍ଗ୍ ହାରବର ନାମକ ଏକ ସଂସ୍ଥାରେ ଗତ ୪ ମାସ ହେଲା କାମ କରିଆସୁଥିଲେ  । ତେବେ କରୋନା ଯୋଗୁଁ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଖାଇବା ପିଇବାକୁ ନ ପାଇ ବହୁ କଷ୍ଟରେ ଦିନ କାଟୁଥିଲେ  । ତେବେ ଏମାନେ ୨ଲକ୍ଷ ୧୦ ହଜାର ଟଙ୍କାରେ ଏକ ବୋଟ୍ କିଣି ଗତ ଶୁକ୍ରବାର ଅର୍ଥାତ ୨୪ତାରିଖରେ ଚେନ୍ନାଇରୁ ବାହାରିଥିବା ସେମାନଙ୍କ ସମ୍ପର୍କୀୟମାନଙ୍କଠାରୁ ସୂଚନା ମିଳିଛି  ।

ଏହାସହ ସେମାନେ ଚେନ୍ନାଇରୁ ବାହାରିଲା ଦିନ ଠାରୁ ଆର୍ଯ୍ୟପଲ୍ଲୀ ନାଏବ ସରପଂଚ ଟି. ବାବାଜୀଙ୍କ ସହ ଯୋଗାଯୋଗରେ ରଖିଥିବା ନାଏବ ସରପଂଚ ସୂଚନା ଦେଇଛନ୍ତି  । ବୋଟରେ ଆସୁଥିବା ୩୩ଜଣଙ୍କ ମଧ୍ୟରେ ସାନ ଆର୍ଯ୍ୟପଲ୍ଲୀ ଗାଁର୨୧ଜଣ, ମାର୍କଣ୍ଡି ଗାଁର ୫ଜଣ, ସୋନପୁରର ଜଣେ, ରାମେୟାପାଟଣାର ଜଣେ, ନୋଳିଆ ନୂଆଁଗାର ଜଣେ , ପୁରୀ ଜିଲ୍ଲାର ଜଣେ ଓ ଆନ୍ଧ୍ରପ୍ରଦେଶର ଦୁଇ ଜଣ ଶ୍ରମିକ ରହିଛନ୍ତି  । ଆଜି ସଂଧ୍ୟାରେ ଏହି ଶ୍ରମିକମାନେ ଆର୍ଯ୍ୟପଲ୍ଲୀରେ ପହଂଚିବେ ବୋଲି ସୂଚନା ମିଳିଛି  ।