ବାଲେଶ୍ୱର: ଆଜି ଭୋରରୁ ଏକ ଟ୍ରକ୍ ସହ ତୀର୍ଥଯାତ୍ରୀ ବସ୍ ଧକ୍କା ହେବା ଫଳରେ ଅନ୍ୟୂନ ୩୦ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ତେବେ ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ଖନ୍ତପଡା ଥାନା ଅନ୍ତର୍ଗତ ଶେରଗଡ ଅଂଚଳର ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ ମେଘା ପେଟ୍ରୋଲ ପମ୍ପ ନିକଟରେ ।
ପଶ୍ଚିମବଙ୍ଗର ହୁଗୁଳିରୁ ପ୍ରାୟ ୭୦ ଜଣ ଯାତ୍ରୀଙ୍କୁ ନେଇ ସେ ବସ୍ଟି ପୁରୀ ଅଭିମୁଖେ ଯାଉଥିଲା। ପାହାନ୍ତା ପ୍ରାୟ ୪ଟା ବେଳେ ବସ୍ଟି ମେଘା ପେଟ୍ରୋଲ୍ ପମ୍ପ୍ ପାଖ ଜାତୀୟ ରାଜପଥରେ ଯାଉଥିବା ବେଳେ ରାସ୍ତା କଡ଼କୁ ଠିଆ ହୋଇଥିବା ଗୋଟାଏ ଟ୍ରକ୍ ପଛରେ ଧକ୍କା ଖାଇଥିଲା। ଧକ୍କା ଯୋଗୁଁ ବସ୍ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଅନ୍ୟୂନ ୩୦ଜଣ ଆହତ ହୋଇଛନ୍ତି।
ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଂଚି ୧୦୮ ଆମ୍ବୁଲାନ୍ସ୍ ଡକାଇ ଚିକିତ୍ସା ନିମନ୍ତେ ସେମାନଙ୍କୁ ଖନ୍ତାପଡ଼ା ଡାକ୍ତରଖାନାକୁ ପଠାଇଥିଲେ। ଆହତ ଯାତ୍ରୀଙ୍କ ମଧ୍ୟରୁ ଯେଉଁମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଧକ୍କା ହେବା ପରେ ବସ୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଠିଆ ହୋଇଥିବା ଟ୍ରକ୍ଟି ମଧ୍ୟ ସେଠାରୁ ଚାଲିଯାଇଛି।
ପୋଲିସ ଘଟଣାସ୍ଥଳରେ ପହଂଚି ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ସେ ବସ୍ରୁ ଚାଳକଙ୍କ ମୋବାଇଲ୍ ଫୋନ୍ଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।