୩ଜଣ ବରିଷ୍ଠ ଅଫିସରଙ୍କୁ ସିଏମଓରେ ନିଯୁକ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ଆଜି ୩ଜଣ ବରିଷ୍ଠ ଅଫିସରଙ୍କୁ ନୂଆ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ସିଏମଓରେ ଅଫିସରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଣେ ଆଇଏଏସ ଓ ଦୁଇଜଣ ଓଏଏସ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏକାଧିକ ଦାୟିତ୍ୱରେ ଥିବା ୨୦୦୫ ବ୍ୟାଚ୍ ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କୋଭିଡ ପରିଚାଳନା ଓଏସଡି ଭାବେ ନିଯୁକ୍ତି ମିଳିଛି। ସେ ଓଏମସି ପରିଚାଳନା ନିର୍ଦ୍ଦେଶକ, କ୍ରୀଡ଼ା ନିର୍ଦ୍ଦେଶକ ଓ ଓଏମଇସିଏଲ ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ।

ସେହିପରି ଜଳସମ୍ପଦ ବିଭାଗର ଯୁଗ୍ମସଚିବ ଓଏଏସ୍ ଲାଲା ମନୋଜ କୁମାର ରାୟଙ୍କୁ ସିଏମଓରେ ଯୁଗ୍ମ ସଚିବ, କଟକ ଉପଜିଲ୍ଲାପାଳ ଓଏଏସ୍ ଶୁଭ୍ରାଂଶୁ ମିଶ୍ରଙ୍କୁ ସିଏମଓରେ ଉପସଚିବ ଭାବେ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଲ୍ୟାଣ୍ଡ ଅଫିସର ପ୍ରତାପ କୁମାର ବେଉରାଙ୍କୁ କଟକ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ସିଏମଓରେ ଆଜି ନିଯୁକ୍ତି ପାଇଥିବା ଶ୍ରୀ ରାୟ ଓ ଶ୍ରୀ ମିଶ୍ର ପୂର୍ବରୁ ହିଞ୍ଜିଳି ବ୍ଲକର ବିଡିଓ ଭାବେ କାର୍ଯ୍ୟ କରିସାରିଛନ୍ତି। ଏହି ଦୁଇ ଅଫିସରଙ୍କୁ ସିଏମଓରେ ମୁଖ୍ୟତଃ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଦାୟିତ୍ୱ ସମେତ ଅନ୍ୟାନ୍ୟ ଦାୟିତ୍ୱ ଦିଆଯିବାର ସମ୍ଭାବନା ରହିଛି। ଶ୍ରୀ ରାୟ ୨୦୦୭-୦୮ ଏବଂ ଶ୍ରୀ ମିଶ୍ର ୨୦୧୩-୧୪ରେ ହିଞ୍ଜିଳିର ବିଡିଓ ଭାବେ କାର୍ଯ୍ୟ କରିଥିଲେ।