ବାରମୂଳାରେ ଆତଙ୍କବାଦୀ ଆକ୍ରମଣ; ଜଣେ ପୋଲିସ କର୍ମଚାରୀ, ଦୁଇ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀଙ୍କ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ । ସୋମବାର ବାରମୂଳା ଜିଲ୍ଲା କ୍ରିରି ଅଞ୍ଚଳରେ ସିଆରପିଏଫର ନାକା ପାର୍ଟି ଉପରକୁ ହମଲା କରିଛନ୍ତି ଆତଙ୍କୀ । ଆତଙ୍କୀଙ୍କ ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଓ ଦୁଇ ଜଣ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି ।

ଆକ୍ରମଣ ପରେ ଆତଙ୍କବାଦୀମାନେ ଖସି ଯିବାରେ ସଫଳ ହୋଇଛନ୍ତି। ସମଗ୍ର ଅଞ୍ଚଳକୁ କର୍ଡନ କରାଯିବା ସହ ସର୍ଚ୍ଚ ଅପରେସନ୍ ଜାରି ରହିଛି । କ୍ରିରି ଅଞ୍ଚଳରେ ନାକା ପାର୍ଟିରେ ଠିଆ ହୋଇଥିବା ଜାମ୍ମୁ କାଶ୍ମୀର ପୋଲିସ ଏବଂ ସିଆପିଏଫର କର୍ମଚାରୀଙ୍କ ଉପରେ ମାଓବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ।

ଏହି ଗୁଳି ବିନିମୟରେ ସିଆରପିଏଫ ର ୧୧୯ ବାଟାଲିୟନର ଦୁଇଜଣ ସେନା ଆହତ ହୋଇଥିଲେ, ପରେ ସେମାନଙ୍କର ମୃତ୍ୟୁ ହୋଇଛି । ​ଏହା ବ୍ୟତୀତ ଜାମ୍ମୁ କାଶ୍ମୀର ପୋଲିସର ଜଣେ ଅଧିକାରୀ ମଧ୍ୟ ଶହୀଦ ହୋଇଛନ୍ତି । ବର୍ତ୍ତମାନ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି।

ଏହାପୂର୍ବରୁ ଗତ ଶୁକ୍ରବାର ଦିନ ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିଥିଲେ। ଶୁକ୍ରବାର ସକାଳେ ଶ୍ରୀନଗର ଉପକଣ୍ଠରେ ଥିବା ନୌଗାମ ବାଇପାସ୍ ଉପରେ ପୋଲିସ୍ ପାର୍ଟି ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଆତଙ୍କବାଦୀଙ୍କ ଦ୍ୱାରା ଦୁଇ ପୋଲିସ କର୍ମଚାରୀ ଶହୀଦ ହୋଇଥିଲେ । ଜାମ୍ମୁ କାଶ୍ମୀର ପୋଲିସର ଆଇଜି ବିଜୟ କୁମାରଙ୍କ ଅନୁଯାୟୀ ଏହି ଆତଙ୍କବାଦୀ ଆକ୍ରମଣରେ ଜୈଶ-ଏ-ମହମ୍ମଦ ସହଯୋଗ କରିଥିଲା।

ଗତ କିଛି ଦିନ ହେବ ଆତଙ୍କବାଦୀମାନେ ପୋଲିସ ପାର୍ଟି ଏବଂ ସେନା କ୍ୟାମ୍ପକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଦୁଇ ଦିନ ପୂର୍ବରୁ ବାରାମୁଲାର ସୋପୋରରେ ଏକ ସୈନ୍ୟ ଦଳ ଉପରେ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ଜଣେ ସେନା ଆହତ ହୋଇଥିଲେ।