ବାଣୀବିହାର ୩ ବିଭାଗ ସିଲ୍

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୩ଟି ବିଭାଗକୁ ସମ୍ପୂର୍ଣ୍ଣ ସିଲ୍‌ କରିଦିଆଯାଇଛି । ଦର୍ଶନ ବିଭାଗର ଜଣେ ଅଧ୍ୟାପିକାଙ୍କର ସମ୍ପର୍କୀୟଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଦର୍ଶନ ବିଭାଗ ଥିବା ବିଲ୍ଡିଂରେ ଅନ୍ୟ ଦୁଇଟି ବିଭାଗକୁ ବି ସିଲ୍‌ କରି ଦିଆଯାଇଛି । ଦର୍ଶନ ବିଭାଗ ସମେତ ଅର୍ଥନୀତି ଓ ଇଂରାଜୀ ବିଭାଗକୁ ମଧ୍ୟ ସିଲ୍‌ କରି ଦିଆଯାଇଛି । ସେହି ବିଭାଗର କୌଣସି ଅଧ୍ୟାପକ, ଅଧ୍ୟାପିକା କିମ୍ବା କର୍ମଚାରୀଙ୍କୁ ବିଶ୍ୱବିଦ୍ୟାଳୟକୁ ଆସିବାକୁ ବାରଣ କରାଯାଇଛି ।

ଅପରପକ୍ଷେ ସମ୍ପୃକ୍ତ ଅଧ୍ୟାପିକା ତଥା ତାଙ୍କର ସହକର୍ମୀମାନଙ୍କୁ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ୧୪ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ୱାରେଣ୍ଟାଇନ୍‌ ସରିବା ପରେ କରୋନା ପରୀକ୍ଷଣ କରିବେ । ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ବିଶ୍ୱବିଦ୍ୟାଳୟକୁ ଆସିବେ ବୋଲି କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।

ଆଗାମୀ ଦିନରେ ଉତ୍କଳ ବିଶ୍ୱବିଦ୍ୟାଳୟର ଉପରୋକ୍ତ ୩ଟି ବିଭାଗ ସମେତ ସମସ୍ତ ବିଭାଗକୁ ବିଶୋଧନ କରାଯିବ ବୋଲି ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ଏ ବାବଦରେ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିବା ସହିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି ବୋଲି ପ୍ରଫେସର ମଲ୍ଲିକ କହିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକାଙ୍କର ସମ୍ପର୍କୀୟଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ଅନ୍ୟମାନେ ଭୟଭୀତ ହୋଇ ପଡିଛନ୍ତି । ଲକଡାଉନ୍‌ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ଏବେ ଅନଲକ୍‌-୧ରେ ଶିକ୍ଷାନୁଷ୍ଠାନଗୁଡିକରେ ପରୀକ୍ଷା ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେଣୁ ସମସ୍ତ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ଆସିବାକୁ ପଡୁଥିଲା । ଦର୍ଶନ ବିଭାଗର ଏହି ଅଧ୍ୟାପିକା ମଧ୍ୟ ବିଶ୍ୱବିଦ୍ୟାଳୟ ଆସିଥିଲେ । ସେ ବିଭାଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବିରେ ଥିବାରୁ ଅନ୍ୟ ସହକର୍ମୀମାନଙ୍କ ସହ କଥାବାର୍ତ୍ତା ଓ ଆଲୋଚନା କରିଛନ୍ତି । ଦର୍ଶନ ବିଭାଗରେ ଏବେ ୬ଜଣ ଅଧ୍ୟାପକ ଓ ଅଧ୍ୟାପିକା ଥିବା ବେଳେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି।

ସେହିପରି ଇଂରାଜୀ ବିଭାଗରେ ୩ଜଣ ଓ ଅର୍ଥନୀତି ବିଭାଗରେ ୭ଜଣ ଅଧ୍ୟାପକ, ଅଧ୍ୟାପିକା ଅଛନ୍ତି । ଏହା ବ୍ୟତୀତ ପ୍ରତି ବିଭାଗରେ ପାଖାପାଖି ୭ରୁ ୮ଜଣ ଅଣଶିକ୍ଷକ କର୍ମଚାରୀ ଅଛନ୍ତି । ପାଖାପାଖି ୪୦ଜଣ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏବେ ସତର୍କତା ଅବଲମ୍ବନ କରିବାକୁ ପଡିବ । ସଙ୍ଗରୋଧ ରହିବା ସହିତ ସରକାରଙ୍କ ନିର୍ଦ୍ଦେଶକୁ ମାନିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।