ଦେବଗଡ ଜଙ୍ଗଲରୁ ତିନୋଟି ଅର୍ଦ୍ଧ ଗଳିତ ମୃତଦେହ ଉଦ୍ଧାର

ଦେବଗଡ(ପ୍ରଶାନ୍ତ ଭୁକ୍ତା): ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବାଲିରୋଇ ଗ୍ରାମ ନିକଟସ୍ଥ ଜଙ୍ଗଲ ରୁ ତିନୋଟି ଅର୍ଦ୍ଧ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ଏହି ଶବ ମଧ୍ୟରେ ଜଣେ ମହିଳା ଙ୍କ ଅଣ୍ଟାରୁ ତଳକୁ କଟାଯାଇଥିବା ଏକ ଶବ ରହିଥିବା ବେଳେ ଅନ୍ୟ ଦୁଇ ଟି ଛୋଟ ଶିଶୁ ଙ୍କ ଶବ ରହିଥିବା ଜଣାପଡିଛି । ଘଟଣା ସ୍ଥଳରେ ବାରକୋଟ ପୋଲିସ ସହ ଡଗ ସ୍କାର୍ଡ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

ଦେବଗଡ ଜିଲ୍ଲା ବାରକୋଟ ଥାନା ଦଣ୍ଡାସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲିରୋଇ ଗ୍ରାମ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ମଧ୍ୟରୁ ଜଣେ ମହିଳା ସମେତ ଦୁଇ ଜଣ ଶିଶୁଙ୍କ ଅର୍ଦ୍ଧ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ବାଲିରୋଇ ଗ୍ରାମ ଠାରୁ ଜାମୁଝରୀ ଗ୍ରାମ କୁ ଯାଇଥିବା ରାସ୍ତାର ପାର୍ଶ୍ବରେ ଜଙ୍ଗଲ ଭିତରେ ଏକ ଶବ ପୋତା ହୋଇଥିବା ଖବର ପାଇବା ପରେ ବାରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣେ ମହିଳା ଙ୍କ ଅଣ୍ଟାରୁ ତଳକୁ କଟାଯାଇଥିବା ଅର୍ଦ୍ଧ ଗଳିତ ମୃତ ଦେହ ଗାତ ମଧ୍ୟରୁ ଉଦ୍ଧାର କରିଥିଲେ । ପରେ ଏହି ଘଟଣାର ଅଧିକ ଅନୁସନ୍ଧାନ ପାଇଁ ଡଗ ସ୍କାର୍ଡ ଓ ସାଇଣ୍ଟିଫିକ ଟିମ୍ କୁ ଡକାଯାଇଥିଲା ।

ସମ୍ବଲପୁର ରୁ ଡଗ ସ୍କାର୍ଡ ଓ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ ଏହି ଘଟଣା ରେ ଗାତ ମଧ୍ୟରେ ଆଉ ଦୁଇ ଜଣ ଶିଶୁଙ୍କ ଅର୍ଦ୍ଧ ଗଳିତ ମୃତ ଦେହ ମଧ୍ୟ ରହିଥିବା ଦେଖିବାକୁ ମିଳିଥିଲା। ଉଦ୍ଧାର ଶବ ମଧ୍ୟରେ ମହିଳାଙ୍କ ବୟସ ର ସୂଚନା ମିଳିନଥିବା ବେଳେ ଶିଶୁ ଦୁଇ ଜଣଙ୍କର ବୟସ ଦୁଇ ରୁ ତିନି ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ଶିଶୁ ଦୁଇ ଜଣ ମହିଳା ପୋଷାକ ପିନ୍ଧି ଥିବାରୁ ଦୁଇ ଜଣ ଯାକ ଝିଅ ଛୁଆ ବୋଲି ଅନୁମାନ କରାଯାଉଛି । ଏହି ଜଙ୍ଗଲ ମଧ୍ୟରେ ଜଣେ ମହିଳା ଓ ଦୁଇ ଶିଶୁଙ୍କ ସମେତ ତିନି ଜଣ ଙ୍କ ମୃତ ଦେହ କେଉଁଠୁ ଆସିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବାରକୋଟ ଥାନା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ମହିଳା ଏକ କମଳା ରଙ୍ଗର ଶାଢୀ ପିନ୍ଧି ଥିବା ବେଳେ ଆଖପାଖ ଅଞ୍ଚଳର କୌଣସି ମହିଳା ଙ୍କ ନିଖୋଜ କୁ ନେଇ ଅନୁସନ୍ଧାନ କରାଯାଉଛି । ପୋଲିସ ଶବ ଗୁଡିକୁ ବ୍ୟବଛେଦ ପାଇଁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି।