ପ୍ଲାଜମା ନେଇ ଗଞ୍ଜାମ ଜିଲ୍ଲାର ୩ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ବ୍ରହ୍ମପୁର: ବରଦାନ ସାଜିଲା ପ୍ଲାଜମା ଥେରାପି। ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ନେଇଥିବା ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।


ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଥେରାପି ନେଇଥିବା ଆକ୍ରାନ୍ତ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ରଶାସନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି। ଡାକ୍ତରଙ୍କ ଅତୁଳନୀୟ ଅବଦାନ ଓ ପ୍ରଚେଷ୍ଟା ଯୋଗୁ ଏହା ସମ୍ଭବ ହୋଇଥିବାରୁ ଏନେଇ କୋଭିଡ୍‌ ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଗଞ୍ଜାମରେ ଅନ୍ୟ କିଛି କରୋନା ଆକ୍ରାନ୍ତଙ୍କୁ ମଧ୍ୟ ପ୍ଲାଜମା ଥେରାପି ଦିଆଯାଇଛି।

ଜିଲ୍ଲାରେ ଏବେ ୨୯୧ ଜଣ ପ୍ଲାଜମା ଦାନ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଖୁବ୍ ଶୀଘ୍ର ଏମାନଙ୍କଠୁ ପ୍ଲାଜମା ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଏହାପୂର୍ବରୁ କଟକର ଜଣେ କରୋନା ଆକ୍ରାନ୍ତ ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଥିଲେ।

ଗଞ୍ଜାମ ଜିଲ୍ଲାର ସ୍ଥିତିକୁ ଦେଖିଲେ ଆଜି ସୁଦ୍ଧା ମହାମାରୀ କରୋନାରେ ୯୫୦୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୮୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯୯୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୪୧୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୬ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।