୩ଟି ଅତ୍ୟାଧୁନିକ କରୋନା ପରୀକ୍ଷାଗାର ଉଦଘାଟିନ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୩ଟି ଅତ୍ୟାଧୁନିକ କୋଭିଡ-୧୯ ପରୀକ୍ଷାଗାର ଉଦଘାଟନ କରିଛନ୍ତି । ଏହି ପରୀକ୍ଷା କେନ୍ଦ୍ର ଗୁଡ଼ିକ ନୋଇଡା, ମୁମ୍ବାଇ ଓ କୋଲକତାରେ ଖୋଲାଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ସେ ଏସବୁ ପରୀକ୍ଷାଗାରଗୁଡ଼ିକର ଉଦଘାଟନ କରିଛନ୍ତି । ଏହି ଅବସରରେ ମହାରାଷ୍ଟ୍ର,ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ମୋଦୀ କହିଛନ୍ତି ଯେ କରୋନା ବିରୁଦ୍ଧରେ ଲଢେଇ କରିବାକୁ ହେଲେ ଆମକୁ କରୋନା ସଂପର୍କିତ ଆବଶ୍ୟକ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ହେବ । ଏଥିପାଇଁ ପୂର୍ବରୁ ସରକାର ୧୫ ହଜାର କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି । ଭାରତରେ କରୋନା ଜନିତ ମୃତ୍ୟୁ ଅନ୍ୟ ଦେଶମାନଙ୍କ ତୁଳନାରେ କମ ବୋଲି ସେ କହିଛନ୍ତି ।

ନୋଇଡାରେ ଏହି ପରୀକ୍ଷାଗାର ଆଇସିଏମଆର-ଜାତୀୟ କର୍କଟ ନିରାକରଣ ଓ ଗବେଷଣା ପ୍ରତିଷ୍ଠାନ ପରିସରରେ ଅବସ୍ଥିତ । ସେହିପରି ମୁମ୍ବାଇରେ ଏହା ଆଇସିଏମଆର-ଜାତୀୟ ପ୍ରଯଜନ ଗବେଷଣା ପ୍ରତିଷ୍ଠାନ ଓ କୋଲକତାରେ ଏହା ଆଇସିଏମଆର-ଜାତୀୟ କୋଲେରା ଓ ସଂକ୍ରାମକ ରୋଗ ପ୍ରତିଷ୍ଠାନ ପରିସରରେ ଅବସ୍ଥିତ ।

ଏସବୁ ପରୀକ୍ଷାଗାର ଗୁଡ଼ିକ କାର୍ଯ୍ୟକ୍ଷମ ହେବା ଫଳରେ ଦେଶର କୋଭିଡ ପରୀକ୍ଷା କ୍ଷମତା ବୃଦ୍ଧି ପାଇବ । ଏହି ୩ଟି ପରୀକ୍ଷାଗାରରେ ଦିନକୁ ୧୦ ହଜାରରୁ ଅଧିକ ନମୁନା ପରୀକ୍ଷଣ ହୋଇପାରିବ । ଏହାଛଡ଼ା ଏଗୁଡ଼ିକରେ ଥିବା ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ପରୀକ୍ଷାଗାର କର୍ମୀ ବା ଲାବରୋଟୋରୀ ଟେକନିସିଆନମାନେ ସୁରକ୍ଷିତ ରହି ନମୁନା ପରୀକ୍ଷଣ କରିପାରିବେ ।