ଆଉ ୩ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଂଚିଛି। ସୁନ୍ଦରଗଡ଼ ଜିଲ୍ଲାରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଏହା ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଂଚିଛି। ଏମାନେ ସମସ୍ତେ ରାଉରକେଲା ଅଂଚଳର ବୋଲି ଜଣାପଡ଼ିଛି । ୨ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି । ପୁରୁଷ ଆକ୍ରାନ୍ତଙ୍କ ବୟସ ୨୩, ୬୦ ଥିବାବେଳେ ମହିଳା ଆକ୍ରାନ୍ତଙ୍କ ବୟସ ୫୭ ବୋଲି ଜଣାପଡ଼ିଛି ।  ଏଥିସହ ଓଡ଼ିଶାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଫଳରେ ଜିଲ୍ଲାର ସମସ୍ତ ୩ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ସୁନ୍ଦରଗଡ଼ କରୋନା ମୁକ୍ତ ହୋଇଥିଲା ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ମାତ୍ର ଏହି ଘଟଣାକୁ ୨୪ ଘଂଟା ନପୂରୂଣୁ ପୁଣି ୩ ଜଣ ଆକ୍ରାନ୍ତ ହେବା ଜିଲ୍ଲାବାସୀଙ୍କୁ ଚିନ୍ତିତ କରିଛି।