ଆଜିଠାରୁ ଦ୍ୱିତୀୟରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ହ୍ୱାଟ୍ସଆପ୍ ରେ ପଢ଼ିବେ ପାଠ

ଭୁବନେଶ୍ୱର: ଆଜିଠାରୁ ଶିକ୍ଷା ସଂଯୋଗ ଆପ ଦ୍ୱାରା ପାଠ ପଢିବେ ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀ । ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ଶିକ୍ଷା ସଂଯୋଗ ହ୍ୱାଟ୍ସ ଆପ ଗ୍ରୁପ ଦ୍ୱାରା ପାଠପଢା ଆରମ୍ଭ ହେବ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଓସେପା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ଚିଠି ଲେଖା ଯାଇଥିଲା । ଖୋର୍ଦ୍ଧ ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଏହାକୁ ଆରମ୍ଭ କରିଯାଇ ସଫଳତା ମିଳିଥିଲା । ଖୋର୍ଦ୍ଧା ଜିଲ୍ଲାରେ ଏହା ୬୦ ପ୍ରତିଶତ ସଫଳ ହେବା ପରେ ସାରା ରାଜ୍ୟରେ ପ୍ରଚଳନ କରିବା ପାଇଁ ନିଷ୍ପତି କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ତେବେ ରାଜ୍ୟରେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି । ଆଉ ଏହି ହ୍ୱାଟ୍ସ ଆପ ଗ୍ରୁପ ଦ୍ୱାରା ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ହିଁ ଲାଭ ପାଇବେ । କାରଣ ସମସ୍ତଙ୍କ ପାଖରେ ଆଣ୍ଡ୍ରଏଡ ଫୋନ ନାହିଁ । ଅନ୍ୟପକ୍ଷରେ ଲକଡାଉନ ଅବଧି ପୁଣି ବଢିଥିବାରୁ ସ୍କୁଲ ଖୋଲିବା ଅନିଶ୍ଚିତତା ଭିତରେ ରହିଛି ଓ ପିଲାଙ୍କ ପାଠପଢା କେବେ ଆରମ୍ଭ ହେବ ତାକୁନେଇ ଅନିଶ୍ଚିତତା ଲାଗିରହିଛି । ତେଣୁ ଯେତିକି ସମ୍ଭବ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିଭାଗ ।