ପୁଣିଥରେ ହେବ ସେବାୟତଙ୍କର କୋଭିଡ ଟେଷ୍ଟ

ପୁରୀ: ସେବାୟତଙ୍କର ହେବ ୨ ଥର କୋଭିଡ ଟେଷ୍ଟ । ସର୍କିଟ ହାଉସରେ ଚାଲିଥିବା ବୈଠକରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।ଏହି ବୈଠକରେ ସେବାୟତଙ୍କର କରୋନା ଟେଷ୍ଟ ଉପରେ ଆଲୋଚନା ଚାଲିଥିଲା । ନିଷ୍ପତ୍ତି ମୁତାବକ ଅଢେଇ ହଜାର ସେବାୟତଙ୍କର ୨ୟ ରାଉଣ୍ଡ କୋଭିଡ ଟେଷ୍ଟ କରାଯିବ । ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ନେବା ପୂର୍ବରୁ ଟେଷ୍ଟିଙ୍ଗ ପ୍ରକ୍ରିୟା ସରିବ। ଯେଉଁମାନଙ୍କର ନେଗେଟିଭ ଆସିବ ସେମାନେ ହିଁ ବାହୁଡା ଯାତ୍ରାରେ ସାମିଲ ହୋଇପାରିବେ ।

ଶ୍ରୀ ମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର କହିଛନ୍ତି ଯେ ରଥଯାତ୍ରରେ ସାମିଲ ୫ ହଜାର ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ କରାଯିବ । ଶ୍ରୀ ମହାପାତ୍ର କହିଛନ୍ତି ଯେ ଯେହେତୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଅନେକ ନୀତିକାନ୍ତି ଅଛି ତେଣୁ ଯେଉଁମାନେ ସାମିଲ ହେବେ ସେମାନେ କରୋନା ନେଗେଟିଭ ବୋଲି ସୁନିଶ୍ଚିତ କରିବା ପାଇଁ ଏହି ବ୍ୟାପକ ଟେଷ୍ଟ କରାଯିବ । ପୂର୍ବରୁ ସେବାୟତଙ୍କର କୋଭିଡ ଟେଷ୍ଟ କରାଯାଇଥିବାବେଳେ ଜଣଙ୍କର କରୋନା ପଜିଟିଭ ଜଣାପଡିବାପରେ ଏହି ନିଷ୍ପତ୍ତି ନିଆଯାଇଛି ।

ସେବାୟତଙ୍କ ବ୍ୟତୀତ ପୁଲିସ ଓ ସଫେଇ କର୍ମଚାରୀଙ୍କର ମଧ୍ୟ ଟେଷ୍ଟ କରାଯିବ। ସେହିପରି ସମ୍ପୂର୍ଣ୍ଣ ପୁରୀ ସହରକୁ ସାନିଟାଈଜ କରାଯିବ। ସେବାୟତଙ୍କ ପରିବାରକୁ ସଚେତନ କରାଯିବା ସହ କୋଭିଡ ନିୟମ ସମ୍ପର୍କରେ ଅବଗତ କରାଯିବ ବୋଲି ମଧ୍ୟ କୁହାଯାଇଛି ।