ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ : ୨୭୯ ପ୍ରାର୍ଥୀ,୭୬ ଲକ୍ଷ ୯୩ ହଜାର ୧୨୩ ମତଦାତା

ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳୁ ଆରମ୍ଭ ହୋଇଛି। ସକାଳ ୫.୩୦ରେ ମକ୍ ପୋଲ ପରେ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି। ଏହି ପର୍ଯ୍ୟାୟରେ ରାଜ୍ୟର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ଏବଂ ଏହି ସମସ୍ତ ଲୋକସଭା ଅନ୍ତର୍ଗତ ୩୫ଟି ବିଧାନସଭା ଆସନର ୯,୧୧୭ଟି ବୁଥରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି।
ବରଗଡ଼ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା ବିଧାନସଭା ଆସନରେ ଗୁରୁବାର ମତଦାନ ହେଉଛି । ସେହିପରି ସୁନ୍ଦରଗଡ଼ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର ଏବଂ ବଣାଇ ବିଧାନସଭା ଆସନରେ ଗୁରୁବାର ମତଦାନ କରାଯାଉଛି । ଅନ୍ୟପକ୍ଷରେ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଓ ଏହା ଅଧୀନସ୍ଥ ବୀରମହାରାଜପୁର, ସୁବର୍ଣ୍ଣପୁର, ଲୋଇସିଂହା, ପାଟଣାଗଡ, ବଲାଙ୍ଗୀର, ଟିଟିଲାଗଡ ଓ କଣ୍ଟାବାଞ୍ଝି ବିଧାନସଭା ଆସନରେ ମଧ୍ୟ ସେହିଦିନ ଭୋଟଗ୍ରହଣ କରାଯାଉଛି। ସେହିପରି କନ୍ଧମାଳ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବାଲିଗୁଡା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ ଓ ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଗୁରୁବାର ମତଦାନ ହେଉଛି। ଗଞ୍ଜାମର  ଆସ୍କା ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଏବଂ ହିଞ୍ଜିଳିରେ ମଧ୍ୟ ଗୁରୁବାର ସକାଳୁ ମତଦାନ ଆରମ୍ଭ ହୋଇଛି।

ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ୩୯, ୪୫, ୦୨୫ ପୁରୁଷ, ୩୭,୪୭,୪୯୩ ମହିଳା ଏବଂ ୬୦୫ ଜଣ ତୃତୀୟ ଲିଙ୍ଗର ଭୋଟରଙ୍କୁ ମିଶାଇ ମୋଟ ୭୬ ଲକ୍ଷ ୯୩ ହଜାର ୧୨୩ ମତଦାତା ଅଛନ୍ତି। ୫ଟି ଲୋକସଭା ପାଇଁ ୩୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଥିବା ବେଳେ ୩୫ଟି ବିଧାନସଭା ଆସନ ପାଇଁ ୨୪୪ ଜଣ ପ୍ରାର୍ଥୀ ଏହି ପରି ମୋଟ ୨୭୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି। ମାଓ ପ୍ରଭାବିତ ଅଞ୍ଚଳରେ ସକାଳ ୭ଟାରୁ ୪ଟା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଅପରାହ୍ଣ ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।ଏହି ପର୍ଯ୍ୟାୟରେ ୯୧୧୭ ବୁଥରେ ଭୋଟ ଗ୍ରହଣ କରାଯିବ। ନିର୍ବାଚନ ପାଇଁ ୬୦ ହଜାର ୩୯୩ଜଣ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନଙ୍କ ପାଇଁ ୮୬୩୭ଟି ଗାଡ଼ି ବ୍ୟବସ୍ଥା କରାଯାଇଛି। ଏହି ପର୍ଯ୍ୟାୟରେ ୩୭୦୧ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି। ସେହିସବୁ ବୁଥରେ ସୁରକ୍ଷିତ ଭାବେ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୭୪୮ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରାଯାଇଥିବା ବେଳେ ୮୮୩ ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା ହୋଇଛି। ସେହିପରି ୬୨୩ଟି ବୁଥରେ ସିସି କ୍ୟାମେରା ବ୍ୟବସ୍ଥା ସହ ୮୯୨ଜଣ ମାଇକ୍ରୋ ଅବଜରଭର ନିୟୋଜିତ ଅଛନ୍ତି। ସବୁ ସେକ୍ସନ ଅଫିସରଙ୍କ ଗାଡ଼ିରେ ଜିପିଏସ ଟ୍ରାକିଂ ବ୍ୟବସ୍ଥା କରାଯାଇଛି।
ଦ୍ବିତୀୟ ପର୍ଯ୍ୟାୟରେ ୧ଲକ୍ଷ ୮ ହଜାର ୪୫୮ ଭିନ୍ନକ୍ଷମ ମତଦାତା ଅଛନ୍ତି। ଏହି ମତଦାତାଙ୍କ ସମେତ ବୃଦ୍ଧ, ବୃଦ୍ଧାଙ୍କୁ ମତଦାନ ବେଳେ ସହାୟତା ପ୍ରଦାନ ପାଇଁ ୧୮ ବର୍ଷରୁ କମ ବୟସର ୧୭,୮୮୨ଜଣ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ପ୍ରଚଣ୍ଡ ରୌଦ୍ରତାପ ଦୃଷ୍ଟିରୁ ବୁଥ ଗୁଡ଼ିକରେ ମତଦାତାଙ୍କ ପାଇଁ ଟେଣ୍ଟ, ଭିନ୍ନକ୍ଷମ ଓ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଚେୟାର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ମତଦାନ ସହ ବ୍ରହ୍ମପୁର ଓ ମାଲକାନଗିରିର ଗୋଟିଏ ଲେଖାଏଁ ବୁଥରେ ସାନି ଭୋଟ ଗ୍ରହଣ କରାଯିବ।