ଦୁଇ ଦିନ ନବରଙ୍ଗପୁର ସଟଡାଉନ

ନବରଙ୍ଗପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୨ ଦିନିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ । ଅର୍ଥାତ ଅଗଷ୍ଟ ୧ ତାରିଖ ସକାଳ ୫ଟା ରୁ ୨ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ସଟଡାଉନ ରହିବ । ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସଟଡାଉନ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ଜାରି ରହିବା ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏଥିସହ ରାଶନ ସାମଗ୍ରୀ ଦୋକାନ ପନିପରିବା ଓ କ୍ଷୀର ଦୋକାନ ସକାଳ ୬ ଟାରୁ ଦିନ ୧ ଯାଏଁ ଖୋଲା ରହିବ ।

ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥା ତଥା ପ୍ରତିରକ୍ଷା ପ୍ରତିଷ୍ଠାନ ଖୋଲାରହିବ । ପୋଷ୍ଟ ଅଫିସ ଖୋଲା ରହିବ । କେନ୍ଦ୍ର ସଶସ୍ତ୍ର ବାହିନୀ ପ୍ରତିଷ୍ଠାନ ଖୋଲା ରହିବ । କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଗମନାଗମନ କରିପାରିବେ । ଟେଲିକମ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଚଳପ୍ରଚଳ କରିପାରିବେ । ଅନୁମତି ପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯାତାୟାତ କରିପାରିବେ । ପାନୀୟଜଳ, ପରିମଳ ବିଭାଗର କର୍ମଚାରୀମାନେ ଯାତାୟାତ କରିପାରିବେ । ଶକ୍ତି ବିଭାଗରେ କାର୍ଯ୍ୟରତ କର୍ମଚାରୀ ଯାତାୟାତ କରିପାରିବେ । ମାଲବାହୀ ସାମଗ୍ରୀର ଗାଡି ଯାତାୟାତ କରିପାରିବ । କୃଷି, କୃଷିଜାତ ଦୋକାନ, ଗୋଖାଦ୍ୟ ପଶୁସମ୍ପଦର ଦୋକାନ, ମାଛ, ମାଂସ ଦୋକାନ ଖୋଲା ରହିବ । ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରଣ କେନ୍ଦ୍ର ଖୋଲା ରହିବ। ଅନଲାଇନ ସେବା ଯୋଗାଉଥିବା କ୍ଷେତ୍ର ଖୋଲା ରହିବ ।