ଆଜିଠୁ ୨ଦିନିଆ ବଲାଙ୍ଗୀର ବନ୍ଦ ପାଳନ

ବଲାଙ୍ଗୀର:୩ ଦଫା ଦାବୀ ନେଇ ଆଜି ଓ କାଲି ବଲାଙ୍ଗିର ଆକ୍ସନ କମିଟି ପକ୍ଷରୁ ଦୁଇ ଦିନିଆ ବଲାଙ୍ଗିର ବନ୍ଦ ପାଳନ କରାଯାଉଛି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା , ଲୋୟର ସୁକତେଲ କାମ ଆରମ୍ଭ ଓ ବାଇପାସ୍ ରାସ୍ତା ନିର୍ମାଣ ଦାବୀ କରି ଏହି  ଦୁଇ ଦିନ ଜିଲ୍ଲାର ସମସ୍ତ ସରକାରୀ ଅଫିସ,ବ୍ୟାଙ୍କ, ଡାକଘର ଓ ବେସକାରୀ ସମସ୍ତ ଅଫିସ୍ ବନ୍ଦ କରିଛି ବଲାଙ୍ଗୀର ଆକ୍ସନ କମିଟି ।  

ଦୀର୍ଘ ଦିନରୁ ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ଆନ୍ଦୋଳନ ଚାଲି ଆସିଛି। ଏହା ପୂର୍ବରୁ ୨୦୧୯ ପ୍ରାରମ୍ଭରେ ସ୍ଥାୟୀ ବେଞ୍ଚ ଦାବି ନେଇ ଦୀର୍ଘ ୩ ମାସ ସରକାରୀ ଅଫିସ ବନ୍ଦ ରହିଥିଲା। ଏହା ପରେ ଗତ ଫେବୃଆରୀ ୨୩ରେ ସମସ୍ତ ସରକାରୀ ଅଫିସ ଖୋଲିଥିଲା। ତେବେ ଆନ୍ଦୋଳନ ପ୍ରଭାବରେ ଜିଲ୍ଲାର ଜନସାଧାରଣମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ସେହି ପରି ବଲାଙ୍ଗୀରଠାରୁ ୨୦ କିଲୋମିଟର ଦୂରରେ ସୁକତେଲ ନଦୀରେ କରାଯାଉଥିବା ପ୍ରକଳ୍ପ ଆନ୍ଦୋଳନ ଯୋଗୁଁ ବନ୍ଦ ରହିଛି। ୨୦୨୧ ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏପର‌୍ୟ୍ୟନ୍ତ ବିସ୍ଥାପିତଙ୍କୁ କ୍ଷତିପୂରଣ କିମ୍ବା ଥଇଥାନ କରାଯାଇ ନାହିଁ । ଯାହାକୁ ବିରୋଧ କରି ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। 

ଅନ୍ୟପଟେ ବାରମ୍ବାର ଦୁର୍ଘଟଣାରେ ଅକାଳରେ ଲୋକଙ୍କ ଜୀବନ ଯିବା ପରେ ବଲାଙ୍ଗୀରରେ ବାଇପାସ ନିର୍ମାଣ ଦାବୀ ଜୋର ଧରିଛି। ବାଇପାସ ନ ଥିବାରୁ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ।  ବିଗତ ସମୟରେ ବାଇପାସ ନ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆଣିବା ସହ ବାଇପାସ ନିର୍ମାଣ ଲାଗି ଲୋକେ ଦାବି କରିଛନ୍ତି । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବରୁ ଦୁଇଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଥିଲା।