୪ ବସ୍ ରେ ସୁରଟରୁ ଗଞ୍ଜାମକୁ ଫେରିଲେ ୨୨୮

ବ୍ରହ୍ମପୁର: ଗୁଜୁରାଟରୁ ସୁରଟରୁ ୨୨୮ରୁ ୨୨୮ ଶ୍ରମିକଙ୍କୁ ଆସୁଥିବା ୪ଟି ବସ୍ ଆଜି ମଧ୍ୟରାତ୍ରିରେ ଗଞ୍ଜାମ ଜିଲ୍ଲାରେ ପହଂଚିଛି । ରାତି ୧୦ଟା ୪୫ରେ ସମସ୍ତ ବସ୍ କନ୍ଧମାଳ-ଗଞ୍ଜାମ ସୀମାନ୍ତ ଦୁର୍ଗାପ୍ରସାଦରେ ପହଂଚିବା ପରେ ଭଞ୍ଜନଗର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ, ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ତହସିଲଦାର ଆଲୋକ ପ୍ରଧାନଙ୍କ ଉପସ୍ଥିତିରେ ସମସ୍ତଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ବୋତଲ୍ ଦିଆଯାଇଥିଲା। ସେଠାରୁ ବାହାରି ରାତି ୧୧ଟାରେ ବସ୍ ଭଞ୍ଜନଗରରେ ଲାଗିଥିଲା। ସେଠାରୁ ପୋଲିସ ଏସ୍କର୍ଟରେ ସମସ୍ତ ବସ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା ଏବଂ ରାତି ପ୍ରାୟ ୧୨ଟାରେ ୪ଟି ବସ୍ ଶେରଗଡ଼ ଓ ଧରାକୋଟରେ ପହଂଚିଥିବା ଜଣାପଡ଼ିଛି। ଶେରଗଡ଼ ଆଦର୍ଶ ବିଦ୍ୟାଳୟ ଓ ଧରାକୋଟ ଆଦର୍ଶ ବିଦ୍ୟାଳୟ କ୍ୱାରେନଂଟାଇନ୍ ରେ ସମସ୍ତଙ୍କୁ ରଖାଯାଇଛି।