ସୁରତରୁ ୨୮ଜଣ ପ୍ରବାସୀ ଶ୍ରମିକ ପହଂଚିଲେ ଭଦ୍ରକରେ

ଭଦ୍ରକ: ଲକ୍ ଡାଉନ୍ ରେ ଗୁଜୁରାଟର ସୁରତରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଭଦ୍ରକରେ ୨୮ ଜଣ ପହଂଚିଥିବା ସୂଚନା ମିଳିଛି । ଜଣେ ମହିଳାଙ୍କ ସମେତ ପ୍ରାୟ ୨୮ଜଣ ଶୁକ୍ରବାର ରାତି ପ୍ରାୟ ସାଢ଼େ ୨ଟା ସମୟରେ ଭଦ୍ରକରେ ପହଂଚିଛନ୍ତି। ନିଜସ୍ୱ ଖର୍ଚ୍ଚରେ ଜଣକ ପିଛା ୩୫୦୦ ଟଙ୍କା ଦେଇ ସେମାନେ ସୁରତରୁ ଏକ ବସ୍‌ ଯୋଗେ ଗତ ୨୯ତାରିଖରୁ ଓଡ଼ିଶା ଅଭିମୁଖେ ବାହାରିଥିଲେ। ଶୁକ୍ରବାର ରାତିରେ ସେମାନେ ଏଠାରେ ପହଂଚିବା ପରେ ସେମାନଙ୍କୁ ଭଣ୍ଡାରୀପୋଖରୀସ୍ଥିତ ସରକାରୀ ଆଇଟିଆଇ କେନ୍ଦ୍ରରେ ରଖାଯାଇଛି। ଆଜି ସେମାନଙ୍କର ନାମ ପଞ୍ଜୀକରଣ କରାଯିବା ପରେ ସେମାନଙ୍କୁ କ୍ୱାରେନଂଟାଇନ୍ ସେଂଟରରେ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।

ସେମାନଙ୍କୁ କ୍ୱାରେନଂଟାଇନ୍ ରେ ରଖାଯିବା ନେଇ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ଜିଲ୍ଲାପାଳଙ୍କର ନିର୍ଦ୍ଦେଶ ପାଇବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତିହିଡି ତହସିଲଦାର ରମେଶ ପଣ୍ଡା ଏଇ ନେଇ କ୍ୱାରେନଂଟାଇନ୍ କେନ୍ଦ୍ର ଜିଲ୍ଲାରେ ଅଧିକରୁ ଅଧିକ ସଂଖ୍ୟକ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ସବୁ ପଂଚାୟତର ଥିବା ଏକାଧିକ ସ୍କୁଲ ଗୃହକୁ କ୍ୱାରେନଂଟାଇନ୍ କେନ୍ଦ୍ର କରିବାକୁ ସରପଂଚମାନଙ୍କୁ ପ୍ରସ୍ଥାବ ଦେଇଛନ୍ତି। ସୁରତ ଫେରନ୍ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯିବ। ରକ୍ତ ନମୁନାର ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ କ୍ୱାରେନଂଟାଇନ୍ ରେ ୧୪ ଦିନ ପାଇଁ ରଖାଯିବ। ୧୪ ଦିନ କ୍ୱାରେନଂଟାଇନ୍ ରେ ରହିବା ପରେ ନିଜ ଘରକୁ ଯାଇପାରିବେ ବୋଲି ସୂଚନା ଦିଆଯାଇଛି।