ବିହାରରେ ବଜ୍ରପାତ ନେଲା ୨୬ ଜଣଙ୍କର ଜୀବନ

ପାଟଣା: ବଜ୍ରପାତ ଯୋଗୁଁ ଉତ୍ତର ବିହାରର ଆଠଟି ଜିଲ୍ଲାରେ ୨୬ଜଣ ବ୍ୟକ୍ତିଙ୍କର ଗୁରୁବାର ଦିନ ମୃତ୍ୟୁ ଘଟିଛି। ଗୋଟିଏ ସପ୍ତାହ ମଧ୍ୟରେ ବିହାରରେ ବଜ୍ରପାତ ଜନିତ ମୃତ୍ୟୁର ଏହା ତୃତୀୟ ଘଟଣା। ଏହା ପୂର୍ବରୁ ଜୁନ୍ ୨୫ ତାରିଖ ଦିନ ରାଜ୍ୟର ୨୨ଟି ଜିଲ୍ଲାରେ ବଜ୍ରପାତ କାରଣରୁ ୯୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।

ଏହାପରେ ପୁଣି ଜୁନ୍ ୩୦ ତାରିଖ ଦିନ ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ଏଗାର ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ଗୁରୁବାର ଦିନ ବଜ୍ରପାତରେ ପାଟଣାର ୬ଜଣ, ସମସ୍ତିପୁରରେ ୭ଜଣ, ପୂର୍ବ ଚମ୍ପାରଣରେ ୪ଜଣ, ସମସ୍ତିପୁରରେ ୩ ଜଣ, କଠିଆରରେ ୪ଜଣ, ଶେଓହରରେ ୨ଜଣ, ମାଧେପୁରରେ ୨ଜଣ ଏବଂ ପୁରନିଆ ଏବଂ ପଶ୍ଚିମ ଚମ୍ପାରଣରେ ୧ଜଣ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା । ବଜ୍ରପାତରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି। ଝଡ଼ବତାସ ପାଗ ସମୟରେ ଲୋକେ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।