୨୬/୧୧ ମୁମ୍ବାଇ ଆକ୍ରମଣକୁ ପୂରିଲା ୧୧ ବର୍ଷ

୧୬୦ରୁ ଅଧିକ ଲୋକ ହାରିଥିଲେ ଜୀବନ

ମୁମ୍ବାଇ: ମୁମ୍ବାଇ ଆକ୍ରମଣକୁ ୧୧ ବର୍ଷ ପୂରିଛି । ବର୍ଷ ୨୦୦୮ ନଭେମ୍ବର ୨୬ ମାୟାନଗରୀ ପାଇଁ ଏକ କଳା ଦିନ ଥିଲା । ସେଦିନ ଲସ୍କର-ଏ-ତଇବାର ୧୦ ଜଣ ଆତଙ୍କବାଦୀ ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଓ ଗୁଳିମାଡ଼ କରିଥିଲେ । ଅଳ୍ପ ସମୟ ମଧ୍ୟରେ ୧୬୦ରୁ ଅଧିକ ଲୋକ ପୋକମାଛି ଭଳି ଗଳି ପଡ଼ିଥିଲେ । ସେଦିନର ସେହି ଲୋମହର୍ଷଣକାରୀ ଚିତ୍ରକୁ ଯେଉଁମାନେ ଦେଖିଛନ୍ତି, ଆଜି ମଧ୍ୟ ତାଙ୍କର ଆଖିରୁ ଲୁହ ଗଡ଼ିଆସିଥାଏ । ଆଜି ମୁମ୍ବାଇ ଆକ୍ରମଣ ଘଟଣାକୁ ୧୧ ବର୍ଷ ପୂରିଥିଲେ ମଧ୍ୟ ଭାରରତ ଏହି ଇତିହାସ ସବୁବେଳେ ମନେ ରହିବ । ଆକ୍ରମଣରେ ୧୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ମୃତକମାନଙ୍କ ମଧ୍ୟରେ କିଛି ବିଦେଶୀ ନାଗରିକ ମଧ୍ୟ ସାମିଲ ଥିଲେ ।

ମୁମ୍ବାଇ ଆକ୍ରମଣ ପରେ ଛାନଭିନର ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା, ୧୦ ଜଣ ଆକ୍ରମଣକାରୀ କରାଚୀଠାରୁ ଡଙ୍ଗାରେ ମୁମ୍ବାଇ ପହଂଚିଥିଲେ । ରାତି ପାଖାପାଖି ୮ଟା ଥିଲା । ସେମାନେ କୋଲାବା ନିକଟ ଏକ ମାଛ ବଜାରରେ ଓହ୍ଲାଇଥିଲେ । ସେଠାରୁ ୪ଟି ଗୃପରେ ଭାଗ ହୋଇଥିଲେ ଏବଂ ଟ୍ୟାକ୍ସି ନେଇ ମୁମ୍ବାଇ ଭିତରକୁ ପ୍ରବେଶ କରିଥିଲେ ।

କୁହାଯାଇଥାଏ ଯେ, ଆତଙ୍କବାଦୀଙ୍କ ଗତିବିଧି ଉପରେ ମତ୍ସଜୀବୀମାନଙ୍କୁ ସନ୍ଦେହ ହୋଇଥିଲା । ସେମାନେ ପୁଲିସକୁ ସୂଚନା ମଧ୍ୟ ଦେଇଥିଲେ । ମାତ୍ର ପୋଲିସ ଏହାକୁ ଗୁରୁତର ସହିତ ନେଇ ନ ଥିଲା । ରାତି ପାଖାପାଖି ୯ଟା ହେବ ଛତ୍ରପତି ଶିବାଜୀ ଟର୍ମିନସରେ ଗୁଳିକାଣ୍ଡ ହୋଇଥିଲା । ମୁମ୍ବାଇର ଏହି ଐତିହାସିକ ରେଳଷ୍ଟେସନର ମେନ ହଲରେ ୨ ଜଣ ଆକ୍ରମଣକାରୀ ଆଖି ବନ୍ଦ କରି ଗୁଳି ଚଳାଇଥିଲେ । ଏଥିରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିଲା । ୧୦୯ ଜଣ ଆହତ ହୋଇଥିଲେ । ଆତଙ୍କବାଦୀଙ୍କ ଟାର୍ଗେଟ କେବଳ ଶିବାଜୀ ଟର୍ମିନାଲ ନ ଥିଲା । ସେମାନେ ଦକ୍ଷିଣ ମୁମ୍ବାଇର ଲିଓପୋଲ୍ଡ କେଫ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ସେହିଭଳି ଆତଙ୍କବାଦୀମାନେ ନାରିମନ ଓ ତାଜ ହୋଟେଲ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ । ନଭେମ୍ବର ୨୯ ବେଳକୁ ୧୬୦ରୁ ଅଧିକ ଲୋକଙ୍କର ଜୀବନ ଦୀପ ଲିଭି ସାରିଥିଲା । ପୋଲିସ ଆଜମଲ କସାବ ନାମରେ ଜଣେ ବ୍ୟକ୍ତିକୁ ଗିରଫ କରିସାରିଥିଲା । ସେତେବେଳକୁ ସ୍ଥିତି ନିୟନ୍ତ୍ରଣରେ ଥିଲା ।