୨୫୮୫ ସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ରାଜ୍ୟ ସରକାର ଭିନ୍ନ ଭିନ୍ନ ଯୋଜନା କରୁଥିଲେ ବି ତାହା ସଫଳ ହେଉନାହିଁ । କେଉଁ ସ୍କୁଲରେ ଶିକ୍ଷକ ଅଭାବ ତ ପୁଣି କେଉଁଠାରେ ଠିକ୍ ଭାବେ ପଢ଼ାଯାଉନି ପାଠ । ତେବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ତେବେ ରାଜ୍ୟରେ ବର୍ତମାନ ୨୫୮୫ଟି ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିବା ଖବର ସାମ୍ନାକୁ ଆସିଛି ।

ଆଜି ବିଧାନସଭାରେ ପ୍ରଧାନଶିକ୍ଷକ ପଦବୀ ପୂରଣ ନେଇ ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ଲିଖିତ ଉତରରେ ଏଭଳି ତଥ୍ୟ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ନ୍ୟାୟାଳୟରେ ମାମଲା ପଡିଥିବାରୁ ପଦନ୍ନୋତି ହୋଇପାରୁନି କି ଖାଲି ପଦବୀ ପୂରଣ ହୋଇପାରୁନି ବୋଲି ମନ୍ତ୍ରୀ ଉତର ରଖିଛନ୍ତି ।

ତେବେ ବିନା ପ୍ରଧାନଶିକ୍ଷକରେ ଉତମ ପରିଚାଳନା ହେଉ ନ ଥିବାରୁ ସେସବୁ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ମିଳିପାରୁନି । ଭାରପ୍ରାପ୍ତ ଶିକ୍ଷକମାନେ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱ ତୁଆଇଲା ବେଳକୁ ଶିକ୍ଷାଦାନରେ ଅବହେଳା ହେଉଛି । ତେଣୁ ପ୍ରଧାନଶିକ୍ଷକ ପଦବୀ ପୂରଣ ପାଇଁ ବିଧାୟକ ଅମର ଶତପଥୀ ଦାବି କରିଛନ୍ତି ।

ସେପଟେ ମୋହନ ମାଝୀଙ୍କ ପ୍ରଶ୍ନରେ ଉତର ରଖିବାକୁ ଯାଇ ମନ୍ତ୍ରୀ ସମୀର ଦାଶ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଦୁର୍ବଳ ଚିତ୍ର ସାମ୍ନାକୁ ଆଣିଛନ୍ତି  । ରାଜ୍ୟରେ ୧୧୫ଟି ବିଦ୍ୟାଳୟର ନିଜସ୍ୱ ଗୃହ ନ ଥିବା ବେଳେ ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ଫଳରେ ବାହାରେ ବସି ପାଠ ପଢ଼ୁଛନ୍ତି ପିଲା । ୩୧୫ଟି ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ୧୦ରୁ କମ୍ ପିଲା ପାଠ ପଢ଼ୁଛନ୍ତି । ପ୍ରାୟ ୧୦୪୮ଟି ହାଇସ୍କୁଲରେ କମ୍ପ୍ୟୁଟର ନାହିଁ । ୨୮ଟି କମ୍ପୁଟର ଥିବା ହାଇସ୍କୁଲରେ ବିଦ୍ୟୁତ୍ ସଂଯୋଗ ଥିବା ବେଳେ ତାହା କାର୍ଯ୍ୟକାରୀ ହେଉନାହିଁ । ୨୬୧ଟି ବିଦ୍ୟାଳୟରେ ପାଠାଗାର ନାହିଁ ଓ ୪୭୦ଟି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ କାର୍ଯ୍ୟ କରୁଛନ୍ତି ।