କ୍ରାଇମ ବ୍ରାଞ୍ଚ୍‌ର ୨୫ ଜଣ ସଫଳ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ମାନିତ କଲେ ଡିଜିପି

ଭୁବନେଶ୍ୱର: ଓଡ଼ିଶା ପୁଲିସର  କ୍ରାଇମ୍‌ ବ୍ରାଞ୍ଚ୍‌ର ୨୫ ଜଣ ସଫଳ ତଦନ୍ତକାରୀଙ୍କୁ ଶୁକ୍ରବାର ଡିଜିପି ସମ୍ମାନିତ କରିଛନ୍ତି। ରାଜ୍ୟରେ ଅପରାଧ ହାର ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ତଦନ୍ତକାରୀମାନଙ୍କୁ ଉତ୍ସାହିତ କରିବା ସକାଶେ ଆଜି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବଛା ହୋଇ ଥିବା ୨୫ ଜଣ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିବା ସୂଚନା ରହିଛି। ଏହି ଅଧିକାରୀମାନଙ୍କ ତଦନ୍ତ ଫଳରେ ଅପରାଧୀମାନେ ଅଦାଲତରେ ଦଣ୍ଡିତ ହୋଇଛନ୍ତି।

ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ସମୟେ ସମୟେ ଏଭଳି ସମ୍ମାନପ୍ରଦାନ ଉତ୍ସବର ଆୟୋଜନ କରାଯାଇଥାଏ। ଏହି ଉତ୍ସବରେ ରାଜ୍ୟରୁ ଅପରାଧ ମାତ୍ରା ହ୍ରାସ କରିବାରେ ଅଂଶଗ୍ରହଣ କରିଥିବା ତଦନ୍ତକାରୀମାନଙ୍କୁ ସମ୍ମାନିତ କରାଯାଏ। ବହୁ ମାମଲାରେ ଅପରାଧୀମାନେ ଅଦାଲତରେ ଦୋଷୀ ସାବ୍ୟସ୍ତ ନ ହୋଇ ଖସି ଯାଇଥାନ୍ତି। ମାତ୍ର ଯେଉଁ ତଦନ୍ତକାରୀମାନଙ୍କ ଦ୍ୱାରା ତଦନ୍ତ ହୋଇଥିବା ମାମଲାରେ ଅପରାଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।