ଆନିମେଶନ ଷ୍ଟୁଡିଓରେ ପୋଡ଼ାଜଳା, ୨୪ ମୃତ

ଟୋକିଓ: ଜାପାନର ଏକ ଆନିମେଶନ ଷ୍ଟୁଡିଓରେ ଦୁର୍ବୃତ୍ତ ନିଆଁ ଲଗାଇ ଦେବା ପରେ ବ୍ୟାପକ ପୋଡ଼ା ଜଳା ହୋଇ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ୩୫ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ବିଲଡିଂରେ ନିଆଁ ଲାଗିବା ସମୟରେ ଏହା ମଧ୍ୟରେ ପ୍ରାୟ ୭୦ ଜଣ ଲୋକ ଥିବା ଅନୁମାନ କରାଯାଉଛି। ଜାପାନର କୋୟୋଟୋ ସହରରେ ଏହି ବିଲଡିଂଟି ରହିଥିଲା। କେହି ଜଣେ ଦୁର୍ବୃତ୍ତ ଜାଣିଶୁଣି ପ୍ରଥମେ ବିଲଡିଂର କୌଣସି ଏକ ନିଛାଟିଆ ସ୍ଥାନରେ ନିଆଁ ଲଗାଇଥିଲା। ପରେ ଏହା ବିଲଡିଂର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପି ଯାଇଥିଲା।

ନିଆଁ ଲାଗିବା ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ସେମାନେ ନିଆଁକୁ ଆୟତ୍ତ କରିପାରି ଥିଲେ। ଉଦ୍ଧାର କାର୍ଯ୍ୟ ସମୟରେ ପ୍ରଥମେ ୧୩ ଜଣଙ୍କ ମୃତଦେହ ମିଳିଥିଲା।ପରବର୍ତ୍ତୀ ସମୟରେ ଆଉ ୧୧ ଜଣଙ୍କ ମୃତଦେହ ଠାବ ହୋଇଥିଲା।