ଫୋନ ଯୋଗେ ରୋଗୀଙ୍କୁ ଚିକିତ୍ସା ଦେବା ପାଇଁ ଏସସିବିରେ ୨୪ ଘଂଟିଆ କଂଟ୍ରୋଲ ରୁମ୍‌

କଟକ: ଘରେ ବସି ଏଥର ରୋଗୀମାନେ ଡାକ୍ତରଙ୍କ ଚିକିତ୍ସା ପରାମର୍ଶ ନେଇପାରିବେ । ଅତି ଜରୁରୀ ନଥିଲେ ଆଉ ଆସିବାକୁ ପଡ଼ିବନି କଟକ ବଡ଼ ଡାକ୍ତରଖାନା (ଏସ୍‌ସିବି)। ଲକ୍‌ଡାଉନ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ଏସ୍‌ସିବିରେ ଆଜିଠାରୁ ଆରମ୍ଭ ହୋଇଛି ୨୪ ଘଂଟିଆ ଟେଲିମେଡିସିନ୍‌ ସେବା ଓ ପରାମର୍ଶ ବ୍ୟବସ୍ଥା। ଏଥିପାଇଁ ସ୍ୱତନ୍ତ୍ର ନମ୍ବର ୦୬୭୧-୨୪୨୮୩୧୬ ଜାରି କରାଯାଇଛି।

ଏହି ନମ୍ବରରେ ଫୋନ କଲେ ରୋଗୀ ଯେଉଁ ବିଭାଗର ଡାକ୍ତରଙ୍କ ପରାମର୍ଶ ନେବାକୁ ଚାହୁଁଛନ୍ତି, ସେହି ବିଭାଗର ଡାକ୍ତର ତାଙ୍କୁ ପରାମର୍ଶ ଦେବେ। ଏଥିପାଇଁ ସବୁ ବିଭାଗୀୟ ମୁଖ୍ୟମାନେ ଡାକ୍ତରଙ୍କ ତାଲିକା ଦେଇଛନ୍ତି ଓ ୨୪ଘଂଟା ପାଇଁ ଏହି ପରାମର୍ଶ ସେବା ରୋଗୀ ପାଇପାରିବେ। ଏମ୍‌ସିଆଇ ଗାଇଡ୍‌ଲାଇନ୍‌ ଅନୁସାରେ ଲକ୍‌ଡାଉନ୍‌ ସମୟ ପର୍ଯ୍ୟନ୍ତ ଏହି ସେବା ରୋଗୀଙ୍କୁ ଦିଆଯିବ ବୋଲି ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଏସ୍‌ସିବି ଟେଲିମେଡିସିନ୍‌ ବିଭାଗରେ ଏହି ୨୪ ଘଂଟିଆ କଂଟ୍ରୋଲ ରୁମ୍‌ ଖୋଲାଯାଇଛି। ଯେଉଁଠି ସେବିକା ଓ ଫାର୍ମାସିଷ୍ଟଙ୍କୁ ନିୟୋଜିତ କରାଯାଇଛି। ସେମାନେ ଡ୍ୟୁଟି ଅନୁସାରେ ସେଠାରେ ଉପସ୍ଥିତ ରହି ଫୋନ କଲ୍‌ ଉଠାଇବେ। ରୋଗୀଙ୍କ ସମସ୍ୟା ଶୁଣି ଉକ୍ତ ରୋଗୀ କେଉଁ ବିଭାଗରେ ଦେଖାଇବା କଥା ସେ କଥା ବୁଝିବା ପରେ ସଂପୃକ୍ତ ବିଭାଗ ଡାକ୍ତରଙ୍କ ସହ ଯୋଗାଯୋଗ କରାଇବେ। ଉକ୍ତ କଂଟ୍ରୋଲ ରୁମ୍‌ରେ କେଉଁ ବିଭାଗର କେଉଁ ଡାକ୍ତର କେତେବେଳେ ପରାମର୍ଶ ଦେବେ ତାହାର ସୂଚନା ଓ ବିବରଣୀ ପ୍ରସ୍ତୁତ ରହିଛି। ଏହି ଟେଲି ମେଡିସିନ୍‌ ବ୍ୟବସ୍ଥା ଦ୍ୱାରା ସମସ୍ତ ରୋଗୀ ଉପକୃତ ହୋଇ ପାରିବେ ବୋଲି ଆଶା କରାଯାଉଛି। ଲକ୍‌ଡାଉନ୍‌ ସମୟରେ ରୋଗୀ ଆସିବା ପାଉଁ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପ୍ରତ୍ୟେକ ମେଡିକାଲ କଲେଜକୁ ଏମ୍‌ସିଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।