୨୨ ମାଓବାଦୀଙ୍କ ଫଟୋ ଜାରି

ଫୁଲବାଣୀ: କନ୍ଧମାଳରେ ମାଓମାଦୀ ସେମାନଙ୍କ କାର୍ଯ୍ୟକଳାପ ଜାରି ରଖିଛନ୍ତି। ପୁଲିସ ତାର କମ୍ବିଂ ଅପରେସନ୍‌ ଚଳାଇଛି। ଯଦିଓ ଏହା ମଧ୍ୟରେ ମାଓବାଦୀ ସେମିତି କିଛି ଅଘଟଣ ଘଟାଇ ନାହାନ୍ତି, ତଥାପି କେଉଁଠି ପୋଷ୍ଟର ମାରି ତ କେଉଁଠି ରାସ୍ତାରେ ଗଛ ପକାଇ ଉପସ୍ଥିତି ଜାହିର କରି ଚାଲିଛନ୍ତି। ଏଭଳି ସମୟରେ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କନ୍ଧମାଳ ପୁଲିସ ମାଓବାଦୀଙ୍କୁ ଆହ୍ବାନ ଦେଇଛି। କେକେବିଏନ ସଂଗଠନର ୨୨ ଜଣ ହାର୍ଡକୋର ମାଓବାଦୀଙ୍କ ଫଟୋ ଜାରି କରି ପୁଲିସ ପକ୍ଷରୁ ଏଭଳି ଆହ୍ବାନ ଦିଆଯାଇଛି। ୨୨ ମଧ୍ୟରୁ ୮ ପୁରୁଷ ଓ ୧୪ ମହିଳା ମାଓବାଦୀ ରହିଛନ୍ତି। ୮ ପୁରୁଷ ମାଓବାଦୀ ହେଲେ ଦାଶୁ, ଆଲୋକ, ମାଙ୍କୁ, ଆକାଶ, ସର୍ଜନ, ଲଖାନ, ଲଳିତ, ରାମଦାସ ଏବଂ ୧୪ ମହିଳା ମାଓବାଦୀ ହେଲେ ମମତା, ରୀନା, କରୁଣା, ଭଂଜୁ, ନାନ୍ଦେ, ଦିପିନା, ସମିରା, ବିଶ୍ମା, ଅମିତା, ସଙ୍କିତା, ରଂଜିତା, ମିତା ଓ ପଦ୍ମା।

ସମାଜରେ ମୁଖ୍ୟସ୍ରୋତରେ ସାମିଲ ହେଲେ କୌଣସି ଅସୁବିଧା ହେବ ନାହିଁ। ସରକାରଙ୍କ ନିର୍ଦ୍ଦେଶମତେ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜାରି ପୋଷ୍ଟରରେ ଉଲ୍ଲେଖ ରହିଛି। ଏମିତି କି ବନ୍ଧୁକ ଛାଡ଼ି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା କେତେ ଜଣ ମାଓବାଦୀ କିଭଳି ଭଲରେ ଅଛନ୍ତି ସେମାନଙ୍କ ସମ୍ପର୍କରେ ପୋଷ୍ଟରରେ ଅବଗତ କରାଯାଇଛି। ଏଭଳି ପୋଷ୍ଟର ଆଜି ପୁଲିସ ପକ୍ଷରୁ ଜିଲ୍ଲାର ମାଓ ପ୍ରଭାବିତ ବହୁ ଗାଁରେ ମରା ଯାଇଥିବା ଦେଖିବାକୁ ମିଳିଛି। ମାଓବାଦୀଙ୍କ ପ୍ରଲୋଭନରେ ପ୍ରଭାବିତ ନ ହେବାକୁ ଗ୍ରାମବାସୀଙ୍କୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି। ଫଟୋ ଜାରି କରା ଯାଇଥିବା ୨୨ ମାଓବାଦୀଙ୍କୁ ଧରାଇ ଦେବାରେ ସହଯୋଗ କଲେ ୧ ଲକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଏହା ସତ୍ତ୍ବେ ଯଦି ମାଓବାଦୀ ହିଂସାକୁ ଆପଣାଇବାକୁ ଚେଷ୍ଟା କରନ୍ତି ତାହା ହେଲେ ସେମାନଙ୍କୁ କଡ଼ା ଜବାବ ଦିଆଯିବ ବୋଲି କନ୍ଧମାଳ ଏସ୍‌ପି ପ୍ରତୀକ ଗୀତା ସିଂ କହିଛନ୍ତି।