ରାଜ୍ୟ ରାଜନୀତିରେ ଏବେ ପରିବର୍ତ୍ତନ ବିଜେପି ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଏବେ ପରିବର୍ତ୍ତନ ଆସିଛି । ବିଶେଷକରି ରାଜ୍ୟ କଂଗ୍ରେସ ମୁଖିଆ ପରିବର୍ତ୍ତନ ହେବା ପରେ ରାଜନୈତିକ ବାତାବରଣ ବଦଳିବାକୁ ଯାଉଛି । ଏବେ କୁହାଯାଉଛି ବିଜେପି ପାଇଁ କଷ୍ଟକର ସମୟ ଆସୁଛି । ବିଜେଡି ଓ କଂଗ୍ରେସ ନିଜ ନିଜର ରାଜନୈତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଦୁଇ ଦଳ କାର୍ଯ୍ୟକ୍ରମରେ ବୁଡ଼ି ରହିଲେ ବିଜେପି ଆପେ ଦୃଶ୍ୟପଟ୍ଟରୁ ଦୂରେଇ ଯିବ ବୋଲି କିଛି ନେତା ମତ ଦେଇଛନ୍ତି । କଂଗ୍ରେସ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗକୁ ମାଡ଼ିବା ପାଇଁ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିବ । ନିରଞ୍ଜନଙ୍କୁ ସହାୟତା କରିବା ପାଇଁ ୩ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ନବ ଦାସ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି । ଦଳକୁ ସମ୍ଭାଳିବା ପାଇଁ ସବୁ ଦୃଷ୍ଟିରୁ ବେଶ ଶକ୍ତିଶାଳୀ ଟିମ୍ ବୋଲି କୁହାଯାଉଛି । କଂଗ୍ରେସର ୩ କାର୍ଯର୍୍ୟକାରୀ ସଭାପତି ୧୦ଟି ଲେଖାଏଁ ଜିଲ୍ଲା ନିଜ ମଧ୍ୟରେ ବାଣ୍ଟି ନେଇଛନ୍ତି । ପଶ୍ଚିମ ଓଡ଼ିଶା ଦାୟିତ୍ୱରେ ନବ ଥିଲା ବେଳେ ଦକ୍ଷିଣ ଓଡ଼ିଶା ଦାୟିତ୍ୱରେ ପ୍ରଦୀପ ଓ ଉପକୂଳ ଦାୟିତ୍ୱରେ ଅଛନ୍ତି ଚିରଞ୍ଜୀବ । ଏମାନଙ୍କ ମଧ୍ୟରୁ ନବ ଓ ଚିରଞ୍ଜୀବଙ୍କ ପାଖରେ ସାଧନର ଅଭାବ ନାହିଁ । ନିରଞ୍ଜନ ମଧ୍ୟ ସହାୟତା ଦେବାକୁ ପଛାଇବେ ନାହିଁ । ବର୍ତ୍ତମାନଠାରୁ ଏମାନେ ବିଭିନ୍ନ ଅଞ୍ଚଳ ବୁଲିବା ଆରମ୍ଭ କରିଦେଇଛନ୍ତି । ୩ କାର୍ଯ୍ୟକାରୀ ସଭାପତି ଇତିମଧ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରି ସଙ୍ଗଠନକୁ ଏକାଠି କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ୩୦ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଏମାନେ ବୋଲି ଦଳୀୟ ସଂଗଠନକୁ ତଦାରଖ କରିବା ପରେ ପରବର୍ତ୍ତୀ ସମୟରେ ଆନ୍ଦୋଳନ କାର୍ଯ୍ୟକ୍ରମ ହାତକୁ ନେବେ । ତେଣୁ ବିଜେଡି ଓ ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସକୁ ଏବେ କଷ୍ଟକର ହେବନାହିଁ । ବିଜେଡି ଯେହେତୁ ରାଜ୍ୟରେ ଶକ୍ତିଶାଳୀ ହୋଇରହିଛି । କଂଗ୍ରେସ ଆଗକୁ ଆସିଲେ ବିଜେପି ଆପେ ପଛେଇ ଯିବ । କଂଗ୍ରେସ ଯେତେ ସଶକ୍ତ ହେବ ବିଜେଡି ପାଇଁ ସେତିକି ଫାଇଦା ହେବ ବୋଲି ରାଜନୈତିକ ବିଶାରଦମାନେ ମତ ଦେଇଛନ୍ତି । ତ୍ରିମୁଖୀ ପ୍ରତିଯୋଗୀତା ହେଲେ ବିଜେଡି ହିଁ ଫାଇଦାରେ ରହିବ ବୋଲି କୁହାଯାଉଛି ।
ବିଜେଡି ତା’ର କାର୍ଯ୍ୟକ୍ରମ ଅବ୍ୟାହତ ରଖିଛି । ଦଳ ପକ୍ଷରୁ ବିଭିନ୍ନ ସମୟରେ କାର୍ଯ୍ୟକ୍ରମମାନ ଗ୍ରହଣ କରି ଲୋକଙ୍କ ସହ ଯୋଡ଼ି ହୋଇ ରହିବାକୁ ଉଦ୍ୟମ ଚାଲିଛି । ମନ୍ତ୍ରୀପଦରୁ ବାଦ ପଡ଼ିବା ପରେ ଯୁବ ନେତାମାନେ ସଙ୍ଗଠନକୁ ଧରି ଆଗେଇବା ପାଇଁ ଲାଗିଛନ୍ତି । ଏବେ ମହାନଦୀ ପ୍ରସଙ୍ଗକୁ ନେଇ ୧୫ଟି ଜିଲ୍ଲାରେ ବିଜେଡି ପଦଯାତ୍ରା କରିବ । ୧୫୦୦ କିଲୋମିଟର ପଦଯାତ୍ରାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏଥିରେ ମୁଖ୍ୟତଃ ସେମାନେ ରାଜ୍ୟ ସରକାରଙ୍କ ସଫଳତା କଥା କହିବା ସହ ମୁଖ୍ୟ ଟାର୍ଗେଟର ରହିବ ବିଜେପି ଓ କେନ୍ଦ୍ର ସରକାର । ପୁଣି କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ରାଜନୀତି ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ବିଜେଡି ତା’ର ଏହି କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ଯୋଜନା କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଜେପିର ପ୍ରଭାବକୁ ରାଜ୍ୟରେ ହ୍ରାସ କରିବା । ବିଜେପି ରାଜ୍ୟ ସ୍ୱାର୍ଥ ବିରୋଧୀ ଓ ରାଜ୍ୟବାସୀଙ୍କ ବିରୋଧୀ ବୋଲି ଏଭଳି ଏକ ଧାରଣା ଭୋଟରଙ୍କ ମନରେ ସୃଷ୍ଟି କରିବା ପାଇଁ ପ୍ରୟାସ କରିବ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ତଳସ୍ତରର ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏଥିରେ ସାମିଲ କରାଯିବ । ଗାଁରେ ରହି ଲୋକଙ୍କ ସହ ମିଶି କାର୍ଯ୍ୟକ୍ରମ କରାଯିବ । ପଦଯାତ୍ରା କଲେ ଲୋକେ ତାକୁ ନେଇ ଆଲୋଚନା କରିବେ ଏବଂ ଗଣମାଧ୍ୟମରେ ମଧ୍ୟ ତାକୁ ନେଇ ଆଲୋଚନା ହେବ । କାର୍ଯ୍ୟକ୍ରମ ହେଲେ ପୂରା ମିଡିଆର ଫୋକସ ଏଥିରେ ରହିବ । ଦୈନିକ ଏହି କାର୍ଯ୍ୟକ୍ରମ ଚାଲିଲେ ବିଜେଡି ସବୁବେଳେ ଲୋକଙ୍କ ଭିତରେ ଅଲୋଚନାରେ ରହିବ ।
କଂଗ୍ରେସ ମଧ୍ୟ ଯେଉଁ ଯୋଜନା ଆରମ୍ଭ କରୁଛି ସେଥିରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ନିରଞ୍ଜନଙ୍କ ନେତୃତ୍ୱରେ ବିଧାୟକ ଦଳ ଓ ପିସିସି ଏବେ ଏକାଠି ହୋଇ କାର୍ଯ୍ୟ କରିବେ । କାରଣ ବିଧାୟକମାନେ ନିରଞ୍ଜନକୁ ସଭାପତି କରିବା ପାଇଁ ଦାବି କରିଥିଲେ । ଆଉ ୨ଜଣ ବିଧାୟକ ମଧ୍ୟ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି । ଏଣୁ ପ୍ରସାଦ ହରିଚନ୍ଦନ ସଭାପତି ଥିବାବେଳେ ବିଧାୟକ ଦଳ ସହ ଯେଉଁ ପିସିସିର ମତ ପାର୍ଥକ୍ୟ ଓ ବିବାଦ ରହିଥିଲା ତାହା ଏବେ ଆଉ ନାହିଁ । କଂଗ୍ରେସ ଆନ୍ଦୋଳନକୁ ବାହାରିଲେ ରାଜ୍ୟ ସରକାରଙ୍କ ବିରୋଧରେ କହିବା ସହ ବିଜେପିକୁ ମଧ୍ୟ ଟାର୍ଗେଟ କରିବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଟାର୍ଗେଟ ହେଉଛି ବିଜେପି । ଏଣୁ ରାଜ୍ୟ କଂଗ୍ରେସକୁ ବିଜେପି ବିରୋଧରେ ଯିବ । ଆଉ ଯେଉଁଠି କଂଗ୍ରେସ ଦେଖିବ ନିଜ ସ୍ଥିତି ଦୁର୍ବଳ ସେଠି ବିଜେପିକୁ ଆସିବାକୁ ନଦେଇ ବିଜେଡି ଆସିବା ପାଇଁ ସୁଯୋଗ ସୃଷ୍ଟି କରିବ । ବିଜେପି ବିରୋଧରେ ଏକ ପ୍ରକାର ବିଜେଡି ଓ କଂଗ୍ରେସର ସ୍ୱର ଏକ ହେବ । ଏହା ବିଜେପି ପାଇଁ ଜଟିଳ ପରିସ୍ଥିତି ଆଣିବ ।
ବିଜେପିରେ ଯାହା ଦେଖାଯାଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ୍କୁ ଛାଡ଼ିଦେଲେ ଦଳର ଅନ୍ୟ କୌଣସି ନେତା କାର୍ଯ୍ୟକ୍ରମ ପାଇଁ ସେପରି ଆଗ୍ରହ ଦେଖାଉ ନାହାନ୍ତି । ସବୁ ଭେଦଭାବକୁ ଭୁଲି ବିଜେପିକୁ ଏକାଠି ହୋଇ ଶତ୍ରୁପକ୍ଷ ବିରୋଧରେ ଲଢିବାକୁ ହେବ । ଆଗରୁ କେବଳ ବିଜେଡି ବିରୋଧରେ ଲାଗିପଡୁଥିଲା ବେଳେ ଏବେ ଉଭୟ ବିଜେଡି ଓ କଂଗ୍ରେସ ବିରୋଧରେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ପଡ଼ିବ । ଧର୍ମେନ୍ଦ୍ର ଅନେକ କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ଗ୍ରହଣ କରିଛନ୍ତି । ଉଜ୍ଜ୍ୱଳା ଯୋଜନାଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ରୀୟ ପ୍ରତିଷ୍ଠାନ, ମେଡିକାଲ କଲେଜ, ଅନେକ ନୂଆ ଯୋଜନା କାର୍ଯ୍ୟକାରୀ କରାଇଛନ୍ତି । ଏଥିରେ ବହୁ ଲୋକ ଉପକୃତ ହୋଇଛନ୍ତି । ରାଜ୍ୟ ମଧ୍ୟ ଫାଇଦା ପାଇଛି । ହେଲେ ଏସବୁକୁ ବଜାୟ ରଖିବାକୁ ହେଲେ ବିଜେପି ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ଅନେକ ମତ ଦେଇଛନ୍ତି । ଏକାଠି ହୋଇ ଦଳୀୟ କାର୍ଯ୍ୟକ୍ରମକୁ ବ୍ୟାପକ ନକଲେ ଏବଂ ସରକାରୀ ବିରୋଧୀ ପଦକ୍ଷେପକୁ ଆଗେଇ ନନେଲେ ଦଳ ପଛରେ ପଡ଼ିଯିବ । ମହାନଦୀ ଘଟଣାରେ ରାଜ୍ୟ ସରକାରଙ୍କର ସବୁ ଦୁର୍ବଳତା ପୁଣି ପଦାକୁ ଆଣିବାକୁ ହେବ । ଯେଉଁ ୧୫ଟି ଜିଲ୍ଲାକୁ ଟାର୍ଗେଟ କରି ବିଜେଡି ପଦଯାତ୍ରା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଯାଉଛି ସେହି ଜିଲ୍ଲାମାନଙ୍କର ବିଜେପିକୁ ଏଭଳି କିଛି ପଦକ୍ଷେପ ନେବାକୁ ହେବ ଯେଉଁଥିରେ ଲୋକେ ଅସଲ କଥା ଜାଣିପାରିବେ । ମହାନଦୀ ଭେଳିକି ଦେଖାଇ ଆଉ ବିଜେଡି ଫାଇଦା ନେଇପାରିବ ନାହିଁ । ସୁଚିନ୍ତିତ ଉପାୟରେ ଏବଂ ଯୋଜନା ବଦ୍ଧ ଭାବେ କାର୍ଯ୍ୟକ୍ରମ ବିଜେପିକୁ ନେବାକୁ ପଡ଼ିବ । ଧର୍ମେନ୍ଦ୍ରଙ୍କ ଉପରେ ବର୍ତ୍ତମାନ ଅଧିକ ଗୁରୁଦାୟିତ୍ୱ ରହିବ । କାରଣ ତାଙ୍କଠାରୁ ଅନେକ କିଛି ଆଶା କରାଯାଉଛି । ସେ ଯେଭଳି ଭାବରେ ରାଜ୍ୟ ସରକାରଙ୍କ ବିରୋଧରେ ଦୃଢ଼ ହୋଇ ଛିଡ଼ା ହୋଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ କ୍ଷମତା କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି ସେପରି ଭାବରେ ତାଙ୍କ ଦଳର ଅନ୍ୟ କେହି ନେତା କରିବା ସମ୍ଭବ ନୁହେଁ । ଧର୍ମେନ୍ଦ୍ରଙ୍କ କଥାରେ ଯେତିକି ଗୁରୁତ୍ୱ ରହିବ ଅନ୍ୟମାନଙ୍କ କଥାରେ ସେତିକି ରହିବ ନାହିଁ । ଫଳରେ ଧର୍ମେନ୍ଦ୍ରଙ୍କୁ ଏଣିକି ଓଡ଼ିଶା ପାଇଁ ଆହୁରି ସମୟ ଦେବାକୁ ହେବ । କାରଣ ନିର୍ବାଚନ ପାଇଁ ଆଉ ବେଶୀ ଦିନ ନାହିଁ । ଏବେଠାରୁ ପ୍ରସ୍ତୁତିକୁ ଜୋରଦାର ନକଲେ ଆଗକୁ କଷ୍ଟକର ହେବ ବୋଲି ଆଲୋଚନା ହୋଉଛି ।