ଭୁବନେଶ୍ୱର: ଧାନ ସଂଗ୍ରହ ଧାର୍ଯ୍ୟ ଦିବସ ପୁର୍ବରୁ ଚାଷୀମାନଙ୍କୁ ସେମାନଙ୍କ ବିକ୍ରି ଯୋଗ୍ୟ ଧାନ ସହ ସମ୍ପୃକ୍ତ ମଣ୍ଡିରେ ଉପସ୍ଥିତ ରହିବା ପାଇଁ ଏସଏମଏସ୍ ମାଧ୍ୟମରେ ପଞ୍ଜିକୃତ ମୋବାଇଲ ନମ୍ବରକୁ ବାର୍ତା ପ୍ରେରଣ କରାଯାଉଛି । ଅଗ୍ରୀମ ଟୋକେନର ତାଲିକା କ୍ରୟକାରୀ ସୋସିଇଟି/ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟାଳୟରେ ମଧ୍ୟ ଉପଲବ୍ଧ ହେଉଛି । ଚାଷୀମାନେ ମଧ୍ୟ ସୋସାଇଟି/ଗୋଷ୍ଠୀ କାର୍ଯ୍ୟାଳୟରୁ ଏସଏମଏସ୍ ବାର୍ତା ଅନୁସାରେ ଟୋକେନ ସଂଗ୍ରହ କରି ମଣ୍ଡିକୁ ଧାନ ଆଣିପାରିବେ ।
ଚଳିତବର୍ଷ ପ୍ରଥମ ଥର ପାଇଁ ଟୋକେନ ପ୍ରସ୍ତୁତି ପ୍ରକ୍ରିୟା ମାନବ ହସ୍ତକ୍ଷେପରୁ ମୁକ୍ତ କରାଯାଇଛି । ଏହା ରାଜ୍ୟସ୍ତାରେ କମ୍ପ୍ୟୁଟରୀକୃତ ବ୍ୟବସ୍ଥା ମାଧ୍ୟମରେ କରାଯାଉଛି । ବିଗତ ବର୍ଷ ମାନଙ୍କରେ ପ୍ରାଥମିକ କୃଷି ସମବାୟ ସମିତିମାନେ ଟୋକେନ ପ୍ରଦାନ କରୁଥିଲେ ଏବଂ ଏଥିରେ ଅନିୟମିତତା ପରିଲକ୍ଷିତ ହେଉଥିଲା ।
ଚଳିତବର୍ଷ ଲାଗୁ କରାଯାଇଥିବା ନୂତନ ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ମଣ୍ଡି ତାରିଖରେ କ୍ଷୁଦ୍ର, ନାମମାତ୍ର, ମଧ୍ୟମ ଏବଂ ବଡ଼ ଚାଷୀ ନିର୍ଦ୍ଧାରିତ ମାପକାଠି ଅନୁସାରେ ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ସୁଯୋଗ ପାଇବେ ।ନିର୍ଦ୍ଧାରିତ ତାରିଖରେ ମଣ୍ଡିକୁ ଧାନ ନ ଆଣି ପାରିଲେ ପରବର୍ତୀ ସମୟରେ ମଧ୍ୟ ଚାଷୀଙ୍କୁ ଧାନ ବିକ୍ରି ପାଇଁ ସୁଯୋଗ ଦିଆଯିବ । ତୃଣମୂଳ ସ୍ତରରେ ଟୋକେନ ବଂଟନରେ ଅନିୟମିତତାକୁ ଏହା ପ୍ରତିହତ କରିବ ।
ଚାଷୀମାନଙ୍କୁ ଟୋକେନ ପାଇଁ କ୍ରୟକାରୀ ସୋସାଇଟି ନିକଟକୁ ବାରମ୍ବାର ଦୌଡିବାକୁ ପଡିବ ନାହିଁ । ଚଳିତବର୍ଷ ଚାଷୀଙ୍କର ପରିଚୟ ଆଧାର ପ୍ରମାଣୀକରଣ ବ୍ୟବସ୍ଥାରେ କରାଯାଉଛି । ବୃଦ୍ଧ, ରୋଗଗ୍ରସ୍ତ ବା ଅକ୍ଷମ ବ୍ୟକ୍ତିମାନେ ଆଧାର ପ୍ରମାଣୀକରଣ ପାଇଁ ମଣ୍ଡିରେ ଉପସ୍ଥିତ ନ ରହିପାରିଲେ ମଧ୍ୟ ସେମାନଙ୍କ ଧାନ କ୍ରୟ କରାଯିବ ।

କେନ୍ଦ୍ରୀକୃତ ଟୋକେନ ବ୍ୟବସ୍ଥା ଚାଷୀମାନଙ୍କ ହିତ ଉଦ୍ଦେଶ୍ୟରେ ଅନୁପ୍ରେରିତ । ଏହା ମଣ୍ଡି ସ୍ତରରେ ଧାନ କ୍ରୟ ବିକ୍ରୟ କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବ ଏବଂ ଚାଷୀଙ୍କୁ ଅନିଶ୍ଚିତତା ଓ ଆଶଙ୍କାରୁ ମୁକ୍ତ କରିବ । ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛତା, ଶୃଙ୍ଖଳା ଓ ପାରଦର୍ଶିତା ସହ ସମ୍ପାଦନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ।