ନୂଆଦିଲ୍ଲୀ: ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦୋଷୀଙ୍କ ଫାଶୀ ପାଇଁ ନୂଆ ଡେଥ ୱାରେଂଟ ଜାରି କରାଯାଇଛି । ଦୋଷୀଙ୍କୁ ୧ ଫେବୃୟାରୀ ଭୋର ୬ଟାରେ ଫାଶୀ ଦିଆଯିବ ବୋଲି ଦିଲ୍ଲୀ କୋର୍ଟ ଶୁଣାଣି କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିଥିଲେ । ଏହାପରେ ଦିଲ୍ଲୀ କୋର୍ଟ ମାମଲାର ଶୁଣାଣି କରି ଦୋଷୀଙ୍କୁ ନୂଆ ଡେଥ ୱାରେଂଟ ଜାରି କରିଛନ୍ତି ।
ଦୋଷୀ ମୁକେଶ ସିଂହର ଦୟା ଯାଚିକା ଉପରେ ଗୁରୁବାର ଶୁଣାଣି କରି ଫାଶୀ ଉପରେ ରୋକ ଲଗାଇଥିଲେ ଦିଲ୍ଲୀର ପଟିୟାଲା ହାଉସ କୋର୍ଟ । ଆସନ୍ତା ୨୨ରେ ଦୋଷୀଙ୍କୁ ଫାଶୀ ନ ଦେବା ପାଇଁ ତିହାର ଜେଲ ପ୍ରଶାସନକୁ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂହ ଫାଶୀଦଣ୍ଡରୁ ବଂଚିବା ପାଇଁ ଶେଷ ପ୍ରୟାସ ଆପଣାଇଥିଲା । ମୁକେଶ ତିହାର ଜେଲ ପ୍ରଶାସନ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଦୟା ଯାଚିକା ପଠାଇଥିଲା । ଯେତେବେଳ ପର୍ୟ୍ୟନ୍ତ ରାଷ୍ଟ୍ରପତିଙ୍କ ପାଖରୁ ଦୟା ଯାଚିକା ଉପରେ କୌଣସି ନିଷ୍ପତି ନ ଆସିଛି, ସେତେ ପର୍ଯ୍ୟନ୍ତ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ମୁକେଶଙ୍କ ପକ୍ଷରୁ ଓକିଲ ବୃନ୍ଦା ଗୋଭର ଯୁକ୍ତି ରଖିଥିଲେ । କୋର୍ଟ ଉଭୟ ପକ୍ଷଙ୍କ ଦଲିଲକୁ ଦୃଷ୍ଟିରେ ରଖି ଫାଶୀ ତାରିଖକୁ ଘୁଂଚାଇଥିଲେ । ଏହି ମାମଲାରେ ଜିଲ୍ଲା ଅଧିକାରୀ ରିପୋର୍ଟ ଦାଖଲ କରିବା ପରେ ନୂଆ ଡେଥ୍ ୱାରେଂଟ ଜାରି କରାଯିବ ବୋଲି କହିଥିଲେ କୋର୍ଟ । ତେବେ ଶୁକ୍ରବାର ଏହା ଉପରେ ଶୁଣାଣି କରି କୋର୍ଟ ଦୋଷୀଙ୍କୁ ଫେବୃଆରୀ ୧ ଭୋର ୬ଟାରେ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।