୨୦୦୦ ଟଙ୍କାର ନୋଟ ଛପା ବନ୍ଦ କଲା ଆରବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ୨୦୦୦ ଟଙ୍କାର ନୋଟର ଛାପିବା ବନ୍ଦ କରିଛି । ଚିଳତ ଆର୍ଥିକ ବର୍ଷରେ ୨୦୦୦ ଟଙ୍କାର ଗୋଟିଏ ନୋଟ ଛପା ଯାଇନାହିଁ । ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ ପକ୍ଷରୁ ଦାଖଲ କରାଯାଇଥିବା ଆରଟିଆଇର ଜବାବରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

୨୦୧୬ରେ ବିମୁଦ୍ରାକରଣ ପରେ ପ୍ରଥମ ଥର ପାଇଁ ୨୦୦୦ ଟଙ୍କାର ନୋଟ ବଜାରକୁ ଆସିଥିଲା । କଳାଧନ ଉପରେ ଲଗାମ ଲଗାଇବା ପାଇଁ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ହଠାତ ବନ୍ଦ କରାଯିବା ପରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା । ଏହାକୁ ନେଇ ଅନେକ ସମାଲୋଚନା ମଧ୍ୟ ହୋଇଥିଲା । ବିଶେଷଜ୍ଞମାନେ ମତ ଦେଇଥିଲେ ଯେ ଅଧିକ ମୂଲ୍ୟର ଏହି ନୋଟ ପାଇଁ ପୁଣି ଥରେ କଳାଧନ ଜମାହେବ । ଏହାସହ ୨୦୦୦ ଟଙ୍କିଆ ନୋଟ ଖୁଚୁରା ପାଇଁ ମଧ୍ୟ ଅଧିକ ଅସୁବିଧା ସୃଷ୍ଟି କରୁଛି ।

ଆରଟିଆଇର ଜବାବରେ ଆରବିଆଇ ଉତ୍ତର ଦେଇଛି ଯେ, ଆର୍ଥିକ ବର୍ଷ ୨୦୧୬-୧୭ରେ ୨୦୦୦ ହଜାର ନୋଟର ୩୫୪.୨୯ କୋଟି ନୋଟ ଛପା ଯାଇଥିଲା, ଯେତେବେଳେ କି ୨୦୧୭-୧୮ ମସିହାରେ ୧୧.୧୫ କୋଟି ଟଙ୍କାର ନୋଟ ଛପା ଯାଇଥିଲା । ୨୦୧୮-୧୯ରେ ଏହି ସଂଖ୍ୟା ହ୍ରାସ ହୋଇ ୪.୬୬ କୋଟିରେ ପହଞ୍ଚିଥିଲା । ଚଳିତ ଆର୍ଥିକ ବର୍ଷରେ ଗୋଟିଏ ମଧ୍ୟ ନୋଟ ଛପା ଯାଇନାହିଁ ।

ଗତ ଆର୍ଥିକ ବର୍ଷ ସମୟରେ ୨୦୦୦ ଟଙ୍କା ନୋଟର ପ୍ରଚଳନରେ ଅନେକ ହ୍ରାସ ହୋଇଛି । ୨୦୧୮-୧୯ରେ ପ୍ରଚଳିତ ଥିବା ୨୦୦୦ ଟଙ୍କାର ନୋଟର ସଂଖ୍ୟାରେ ୭.୨ ପ୍ରତିଶତ କମ ରେକର୍ଡ କରାଯାଇଛି । ଗତ ଆର୍ଥିକ ବର୍ଷରେ ୨୦୦୦ର ନୋଟର ସଂଖ୍ୟା ୩୩୬ କୋଟିରୁ ୩୨୯ କୋଟି ସଂଖ୍ୟାରେ ରହିଥିଲା । ସେହିପରି, ୫୦୦ ଟଙ୍କାର ନୋଟର ସଂଖ୍ୟା ଆର୍ଥିକ ବର୍ଷ ୨୦୧୭-୧୮ର ୧୫୪୬ କୋଟି ତୁଳଣାରେ ୨୦୧୮-୧୯ରେ ବୃଦ୍ଧି ହୋଇ ୨୧୫୧ କୋଟିରେ ପହଞ୍ଚିଛି ।

୨୦୦, ୫୦୦ ଏବଂ ୨୦୦୦ ନୋଟର ଜାନ ନୋଟ କରିବା ପାଇଁ ବିଭିନ୍ନ ରାସ୍ତା ବାହାର କରୁଛନ୍ତି । ଆରବିଆଇ ଡାଟା ଅନୁସାରେ, ଡୁପ୍ଲିକେସନ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ସରକାର ନେଭେମ୍ୱର ୨୦୧୬ରେ ବିମୁଦ୍ରାକରଣ କରିବା ପରେ ଏହି ନୋଟ ଗୁଡିକୁ ଜାରି କରାଯାଇଥିଲା । ୫୦୦ ଟଙ୍କାର ନୂଆ ଡିଜାଇନର ନୋଟ ୨୦୧୭ରେ ଜାରି ହୋଇଥିଲା । ଆର୍ଥିକ ବର୍ଷ ୨୦୧୭-୧୮ ତୁଳଣାରେ ଗତ ଆର୍ଥିକ ବର୍ଷରେ ଏହାର ନକଲିରେ ୧୨୧ ପ୍ରତିଶତ ବୃଦ୍ଧି ହୋଇଥିଲା । ଅନ୍ୟପଟେ ୨୦୦୦ ଟଙ୍କା ନୋଟ ମାମଲାରେ ଏହି ସଂଖ୍ୟା ୨୧.୯ ପ୍ରତିଶତ ରହିଛି । ବର୍ତ୍ତମାନ ସୁଦ୍ଧା ୧୨,୭୨୮ ଜାଲ ନୋଟ ଜବତ, ଗତ ବର୍ଷ କେବଳ ୭୯ଟି ଜାଲ ନୋଟ ଜବତ ହୋଇଥିଲା ।