ଖଳାରେ ନିଆଁ ଲାଗିବାରୁ ଜଳିଗଲା ୨ଶହ କ୍ୱିଂଟାଲ ଧାନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଯୋଗିସୁର୍ଡା ଗାଁରେ ଖଳାରେ ନିଆଁ ଲାଗିବାରୁ ୨ ଶହ କ୍ୱିଂଟାଲ ଧାନ ପୋଡି ନଷ୍ଟ ହୋଇଯାଇଛି ।

ପ୍ରକାଶ ଯେ, ଖଳାରେ ସଦାନନ୍ଦ ପଧାନ ତାଙ୍କ ନିଜ ସହ ୪ଜଣ ଚାଷୀଙ୍କ ଧାନ ବିଡା ରଖିଥିଲେ ।ହେଲେ ଗତକାଲି ବିଳମ୍ୱିତ ରାତିରେ କେହି ଦୁବୃର୍ତ ଖଳାରେ ନିଆଁ ଲଗାଇ ଦେଇଥିଲା। ଆଜି ସକାଳେ ଖଳାରେ ନିଆଁ ଜଳୁଥିବା ଦେଖି ଗାଁଲୋକେ ସଙ୍ଗେ ସଙ୍ଗେ ଲୋଇସିଂହା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଂଚିଲା ବେଳକୁ ସବୁ କିଛି ପୋଡ଼ିଯାଇଥିଲା।

ଏହି ଅଗ୍ନିକାଣ୍ଡରେ ୫ ଜଣ ଚାଷୀଙ୍କ ପ୍ରାୟ ୨୦୦ କ୍ୱିଂଟାଲ ଧାନ ପୋଡ଼ି ଛାରଖାର ହୋଇଯାଇଥିବା ଅନୁମାନ କରାଯାଉଛି। ବର୍ଷକର ଝାଳବୁହା ପରିଶ୍ରମର ଫଳ ପୋଡ଼ି ଯାଇଥିବାରୁ ଚାଷୀ ମାନେ ହତାଷ ହୋଇଯାଇଛନ୍ତି। ତେବେ ଏ ନେଇ ସେମାନଙ୍କୁ କି ପ୍ରକାର ସହାୟତା ଯୋଗାଇ ଦିଆଯାଇ ପାରିବ, ସେ ସଂପର୍କରେ ପ୍ରଶାସନର ମତାମତ ମିଳି ପାରିନାହିଁ।