କେରଳରେ ପ୍ରବଳ ବର୍ଷା: ୨୦ ମୃତ

ଥିରୁଭାନନ୍ତପୁରମ: କେରଳରେ ପ୍ରବଳ ବର୍ଷା ଯୋଗୁ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଅନେକ ଲୋକ ନିଖୋଜ ରହିଥିବା ଜଣାପଡ଼ିଛି। ଲଗାଣ ବର୍ଷା ଯୋଗୁ ରାଜ୍ୟର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ବର୍ଷା ଯୋଗୁ କୋଚି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଶୁକ୍ରବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଆଗାମୀ ଦୁଇଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ସ୍ଥଳ ସେନା ଏବଂ ବାୟୁସେନାର ସହାୟତା ଲୋଡ଼ିଛନ୍ତି।

କିଛିଦିନ ହେଲା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ୱାୟନାଡରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏହି ଅଞ୍ଚଳରେ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି। ମେପାଡି ଅଞ୍ଚଳରେ ମାଟି ଅତଡ଼ା ଧସିବାରୁ ଅନେକ ଲୋକ ଫସିରହିଥିବା ସୂଚନା ମିଳିଛି। ବର୍ଷା ବିତ୍ପାତ ଯୋଗୁ ଶୁକ୍ରବାର ୭ଜଣଙ୍କ ମୃତ୍ୟୁ ହୋଇଛି। ୱାୟନାଡ଼ରେ ୪ଜଣ, ଇଡୁକ୍କିରେ ୨ ଏବଂ ମାଲାପୁରମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।