କୌନଜରେ ଟ୍ରକ୍ ସହ ଧକ୍କା ହୋଇ ଜଳିଗଲା ବସ୍; ୨୦ଯାତ୍ରୀ ମୃତ

କନୌଜ: ଉତରପ୍ରଦେଶ କନୌଜରେ ଗତକାଲି ରାତିରେ ଏକ ଟ୍ରକ୍ ସହ ଧକ୍କା ହେବା ଫଳରେ ବସ୍ ଟି ଜଳିଗଲା । ଫଳରେ ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୦ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ବସ୍ ରେ ମୋଟ ୭୦ଜଣ ଯାତ୍ରୀ ଥିଲେ । ଅନ୍ୟମାନେ ଜୀବନ ରକ୍ଷା କରିବା ପାଇଁ ବସ୍ ରୁ ଡେଇଁ ପଡିଥିଲେ । ଏହି ଘଟଣାରେ ୨୧ଜଣ ଯାତ୍ରୀ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।

ଫରୁଖାବାଦର ବିମଳ ବସ୍‌ ସର୍ଭିସର ଏହି ବସ୍‌ଟି ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାବେଳେ ଜୟପୁର ଯାଉଥିବା ବେଳେ ଦିଲ୍ଲୀ-କାନପୁର ହାଇୱେର ଚିବ୍‌ରାମାଉ ଥାନା ଅଂଚଳରେ ଏକ ଟ୍ରକ୍‌ ସହ ପ୍ରଚଣ୍ଡ ଧକ୍କା ହୋଇଥିଲା। ଟ୍ରକ୍‌ଟିରେ କିଛି ଦହନଶୀଳ ପଦାର୍ଥ ରହିଥିବ‌ାରୁ ସଂଗେ ସଂଗେ ନିଆଁ ଲାଗି ଯାଇଥିଲା ଏବଂ ବସ୍‌ର ଇନ୍ଧନ ଟାଙ୍କି ଫାଟିଯିବାରୁ ତତ୍‌କ୍ଷଣାତ୍‌ ବସ୍‌ଟି ଜଳିବାକୁ ଆରମ୍ଭ କରିଥିଲା। ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ଶୋଇ ଯାଇଥିଲେ ଏବଂ ସମସ୍ତ ଝରକା ମଧ୍ୟ ବନ୍ଦ ଥିଲା।

ତେଣୁ ଅନେକ ଯାତ୍ରୀ ଭିତରେ ରହି ଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଗୁରୁତର ଆହତ ହୋଇଥିବା ୨୧ ଯାତ୍ରୀଙ୍କୁ ହସ୍ପିଟାଲକୁ ଚିକତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ବସ୍‌ ଭିତରେ ଅତି କମ୍‌ରେ ୧୫ ଜଣ ଯାତ୍ରୀ ଜଳିପୋଡ଼ି ପାଉଁଶ ହୋଇ ଯାଇଥିବା କାନପୁର ଆଇଜି ‌େମାହିତ ଅଗ୍ରୱାଲ କହିଛନ୍ତି। ଏ ଯାଏ ସେମାନଙ୍କ ପରିଚୟ ମିଳି ପ‌ାରିନାହିଁ। ତେବେ ମୃତ୍ୟୁ ସଂଖ୍ୟା ୨୦ରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି।