ରାଜ୍ୟରେ ପହଂଚିଲେ ୨୩୮୧ଜଣ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଚେନ୍ନାଇରୁ ଆଜି ଦୁଇଟି ଟ୍ରେନ୍ ଯୋଗେ ୨୩୮୧ଜଣ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳ ଷ୍ଟେସନରେ ପହଂଚିଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୧୨୦୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ଟ୍ରେନ୍ ଆଜି ସକାଳ ୮ଟା ୨୦ ମିନିଟ ସମୟରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳ ଷ୍ଟେସନରେ ପହଂଚିଥିଲା। ଏମାନଙ୍କ ମଧ୍ୟରୁ ୬୪୭ ଜଣ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଥିବା ବେଳେ ୨୨ ଜଣ କନ୍ଧମାଳର, ୧୪ ଜଣ ଗଜପତି ଏବଂ ବାକି ୫୧୭ ଜଣ ଅନ୍ୟ ଜିଲ୍ଲାର ବାସିନ୍ଦା ବୋଲି ସୂଚନା ମିଳିଛି।

ଅନ୍ୟ ଏକ ଟ୍ରେନରେ ୧୧୮୧ ଜଣ ପ୍ରବାସୀ ଓଡ଼ିଆ ଆଜି ପୂର୍ବାହ୍ନ ୧୦ଟା ୪୦ ମିନିଟ ସମୟରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳ ଷ୍ଟେସନରେ ପହଂଚିଥିଲେ। ଏଥିରେ ଗଞ୍ଜାମ ଜିଲ୍ଲାର ୧୧୫୦ ଜଣ, ବାଲେଶ୍ୱର ଜିଲ୍ଲାର ୧୦ଜଣ, ପୁରୀ ଜିଲ୍ଲାର ୧୧ଜଣ, ଖୋର୍ଦ୍ଧା ଜିଲ୍ଲାର ୩ଜଣ ଓ ନୟାଗଡ଼ ଜିଲ୍ଲାର ୨ଜଣ ପ୍ରବାସୀ ଓଡ଼ିଆ ଆସିଥିବା ଜଣାଯାଇଛି।

ଏହା ବ୍ୟତୀତ ଗୁଜୁରାଟର ସୁରତ ଏବଂ ଆନ୍ଧ୍ରପ୍ରଦେଶର ରାୟନାପଡୁରୁ ଆଉ ଚାରିଟି ଟ୍ରେନ୍ ଆଜି ରାତି ସୁଦ୍ଧା ରାଜ୍ୟରେ ପହଂଚିବ। ଗତକାଲି ସୁରତ ଛାଡ଼ିଥିବା ତିନୋଟି ଟ୍ରେନ୍ ଜଗନ୍ନାଥପୁର ରେଳ ଷ୍ଟେସନରେ ପହଂଚିବ ଏବଂ ରୟନାପଡୁରୁ ଗୋଟିଏ ଟ୍ରେନ୍ ଆଜି ଟିଟିଲାଗଡ଼ରେ ପହଂଚିବ ବୋଲି ସୂଚନା ମିଳିଛି।