ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଅନନ୍ତନାଗ: ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜିଲାର ବିଜ୍‌ବେହାରା ଅନ୍ତର୍ଗତ ବାଗେନ୍ଦର ମୋହଲ୍ଲା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷା କର୍ମୀଙ୍କୁ ଖବର ମିଳିଥିଲା। ଏହାପରେ ବୁଧବାର ରାତିରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଗୁରୁବାର ଭୋର ସମୟରେ ଯବାନଙ୍କ ସହିତ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ଏଥିରେ ୨ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ନିହତ ଆତଙ୍କୀଦ୍ବୟ ହେଉଛନ୍ତି ସଫଦର ଅମିନ ଭଟ ଏବଂ ବରହାନ ଅହମଦ ଗାନି। ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏନକାଉଣ୍ଟର ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।