ଓଡ଼ିଶାର ୨ ଶିକ୍ଷକଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର

ଭୁବନେଶ୍ୱର:ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଦୁଇ ଶିକ୍ଷକ। ଗୁରୁଦିବସ ଅବସରରେ ଶିକ୍ଷକ ବସନ୍ତ କୁମାର ସାହୁ ଏବଂ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି। ଏଥିସହ ଦେଶର ମୋଟ୍ ୪୭ ଜଣ ଶିକ୍ଷକଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟରେ ଏହି ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ବସନ୍ତ କୁମାର ସାହୁ ବର୍ତ୍ତମାନ ବୌଦ୍ଧ ଜିଲ୍ଲା ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ତୁଲାଉଛନ୍ତି। ସେହିପରି ତାପସ କୁମାର ମହାନ୍ତି ଖୋର୍ଦ୍ଧା ଜିଲ୍ଲାର ଭୀମଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। “ଜୀବନରେ କେବେ ବି ଭାବିନଥିଲି କି ଏତେବଡ଼ ପୁରସ୍କାର ମୁଁ ପାଇବି ବୋଲି। ମୋତେ ଏହି ସମ୍ମାନ ମିଳିଥିବାରୁ ମୁଁ ବହୁତ ଖୁସି ଅଛି, ମୋର ସମସ୍ତ ଛାତ୍ରଛାତ୍ରୀ, ସହ କର୍ମଚାରୀ ଏବ ମୋର ବାପା ମା’ଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି”, କହିଛନ୍ତି ଶିକ୍ଷକ ବସନ୍ତ କୁମାର ସାହୁ।