ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ସ୍ପଟ୍‌ ନାମଲେଖା ପାଇଁ ତାଲିକା

ଭୁବନେଶ୍ୱର : ରାଜ୍ୟର ମୋଟ ୧୯୮୪ଟି ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଏବଂ ସଂସ୍କୃତ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ସ୍ପଟ୍‌ ନାମଲେଖା ପାଇଁ ଖାଲି ଥବା ସିଟ୍‌ ତାଲିକା ଓ ବିଜ୍ଞପ୍ତି ଶନିବାର ପ୍ରକାଶ ପାଇବ। ସ୍ପଟ୍‌ ନାମଲେଖା ପାଇଁ ୨୩ ତାରିଖ ଅପରାହ୍ନ ୨ଟା ସୁଦ୍ଧା ସ୍ପଟ ନାମଲେଖା ପାଇଁ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ। ସେହିଦିନ ଅପରାହ୍ନ ୫ଟାରେ ସ୍ପଟ୍‍ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ତାଲିକା ସମ୍ପୃକ୍ତ କଲେଜ ନୋଟିସ୍‍ ବୋର୍ଡ଼ରେ ପ୍ରକାଶ ପାଇବ। ଜୁଲାଇ ୨୫ରୁ ୨୭ତାରିଖ ମଧ୍ୟରେ ସ୍ପଟ୍‍ ନାମଲେଖା ହେବ। ଜୁଲାଇ ୨୯ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କର ପାଠପଢା ଆରମ୍ଭ ହେବ। ଦ୍ବିତୀୟ ପର୍ଯ୍ୟାୟରେ ୨୪ ୭୭୯ ଜଣ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ସମସ୍ତ ପାଠ୍ୟକ୍ରମର ମୋଟ ୪ ଲକ୍ଷ ୪୮ ହଜାର ୪୫୧ ସିଟ୍‌ ମଧ୍ୟରୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ୩ ଲକ୍ଷ ୮ ହଜାର ୧୬୩ଟି ସିଟ୍‌ରେ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ରାଜ୍ୟରେ ସମସ୍ତ ପାଠ୍ୟକ୍ରମରେ ୧ ଲକ୍ଷ ୪୦ ହଜାର ୩୦୮ ସିଟ୍‌ ଖାଲି ପଡ଼ିଛି।