ଉରି ସେକ୍ଟରରେ ଗୁଳି ବିନିମୟ; ୨ ଯବାନ ଶହିଦ୍

ଶ୍ରୀନଗର: ଜମ୍ମୁ କଶ୍ମୀରର ଉରି ସେକ୍ଟରରେ ପାକିସ୍ତାନ ତରଫରୁ ହୋଇଥିବା ଗୁଳିରେ ଭାରତୀୟ ସେନାର ୨ ଜଣ ଯବାନ ଶହିଦ ହୋଇଛନ୍ତି । ଏଥି ସହିତ ୪ ଜଣ ଭାରତୀୟ ନାଗରିକ ମଧ୍ୟ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ପାକିସ୍ତାନ ଶୁକ୍ରବାର ବାରମୁଲା ଜିଲ୍ଲାର ଉରି ସେକ୍ଟରରେ ବିନା କାରଣରେ ଗୁଳି ବର୍ଷା କରିଥିଲା ।

ଭାରତୀୟ ସେନା ପାକିସ୍ତାନର ଏଭଳି ଘୃଣ୍ୟ କାମକୁ ବିରୋଧ କରି କଡା଼ ଜବାବ ଦେଇଥିଲା । କିନ୍ତୁ ପାକିସ୍ତାନର ଗୁଳିରେ ୪ ଜଣ ସୈନିକ ଆହତ ହୋଇଥିଲେ । ସେମାନଙ୍କୁ ନିକଟସ୍ଥ ସେନା ହସ୍ପିଟାଲରେ ଭର୍ତି କରାଯାଇଥିଲା । ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଯବାନ ଶେଷ ନିଃଶ୍ୱାସ ନେଇଛନ୍ତି । ସେମାନେ ହେଲେ ଜଣେ ହାବିଲଦାର ଗୋକର୍ଣ୍ଣ ସିଂହ ଓ ଅନ୍ୟ ଜଣେ ନାୟକ ଶଙ୍କର ଏସପି ।

ହସ୍ପିଟାଲରେ ଭର୍ତି ହୋଇଥିବା ଅନ୍ୟ ୨ ଜଣ ସୈନିକଙ୍କ ଚିକିତ୍ସା ଜାରି ରହିଛି । ସେମାନେ ହେଲେ ହାବିଲଦାର ନାରାୟଣ ସିଂହ ଓ ନାୟକ ପ୍ରଦୀପ ଭଟ୍ଟ । ସେନାର ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିଆ କହିଛନ୍ତି, ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ନିୟନ୍ତ୍ରଣ ରେଖା ନିକଟରେ ରାମପୁର ସେକ୍ଟରରେ ପାକିସ୍ତାନ ଅତର୍କିତ ଭାବେ ଗୁଳି ଚାଳନା କରିଥିଲା । ଏହା ପୂର୍ବରୁ ପାକିସ୍ତାନର ଗୁଳିରେ ୪ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ ।