ଅଗଷ୍ଟ ୧୨ରେ ପ୍ରକ‌ାଶ ପ‌ାଇବ +୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର : ଅଗଷ୍ଟ ୧୨ ତାରିଖରେ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । ୧୨ ତାରିଖ ଦିନ ୧୨.୩୦ ମିନିଟ୍ ସମୟରେ ପରୀକ୍ଷା ଫଳ ୱେସାଇଟ୍ ମାଧ୍ୟମରେ ପ୍ରକାଶିତ ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।  ଯୁକ୍ତ ୨ ବିଜ୍ଞାନର ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜ୍ଞାନ ବିଭାଗର ସମସ୍ତ ଉତ୍ତର ଖାତାର ମୂଲ୍ୟାୟନ ଗତ ସପ୍ତାହରେ ସରିବା ସହ ସହ ଯାଞ୍ଚ ପ୍ରକ୍ରିୟା ବି ଶେଷ ହୋଇଛି। ଯେଉଁ କିଛି କାମ ବାକି ରହିଛି ତାହା ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସୁଦ୍ଧା ସରିଯିବ। ମନ୍ତ୍ରୀ ଶ୍ରୀ ଦାଶଙ୍କ ପୂର୍ବ ଘୋଷଣା ଅନୁଯାୟୀ ଅଗଷ୍ଟ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ଶେଷ ସପ୍ତାହରେ କଳା ଓ ଧନ୍ଦାମୂଳକ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ। ପରୀକ୍ଷା ଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି।

ତେଣେ ଅଗଷ୍ଟ ସୁଦ୍ଧା ୫୬ ହଜାର ଶିକ୍ଷକଶିକ୍ଷୟିତ୍ରୀଙ୍କ ପଦୋନ୍ନତି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।