ଉତରପ୍ରଦେଶରେ ୨ ସାଧୁଙ୍କୁ ହତ୍ୟା

ବୁଲନ୍ଦସହର: ଉତରପ୍ରଦେଶର ବୁଲନ୍ଦସହର ଅନ୍ତର୍ଗତ ଅନୁପସହରରେ ଦୁଇ ସାଧୁଙ୍କୁ ହତ୍ୟା କରାଯାଇଛି। ସାଧୁ ଦୁଇଜଣ ମନ୍ଦିର ପରିସରରେ ରାତିରେ ଶୋଇଥିବାବେଳେ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ସେମାନଙ୍କୁ ହାଣି ହତ୍ୟା କରିଛି। ଘଟଣା ପରେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରି ପୋଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଜଣେ ନିଶାଗ୍ରସ୍ତ ବ୍ୟକ୍ତି ହୋଇଥିବାବେଳେ ଏହି ଘଟଣା ବୁଲନ୍ଦସହରରେ ଚାଂଚଲ୍ୟ ଖେଳାଇ ଦେଇଛି।

ଘଟଣା ପରେ ପୋଲିସ ଟିମ୍‌ ସହିତ ଜିଲାପାଳ ପହଂଚି ଅନୁଧ୍ୟାନ କରିଛନ୍ତି। ଅନୁପସହରର ପଗୌନା ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଦୁଇ ଜଣ ପୂଜକ ସ୍ଥାନୀୟ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ଦାୟିତ୍ଵରେ ଥିଲେ। ସୋମବାର ରାତିରେ ସେମାନେ ମନ୍ଦିର ପରିସରରେ ଶୋଇଥିବାବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା। ମଙ୍ଗଳବାର ସକାଳେ ଗ୍ରାମବାସୀ ମନ୍ଦିରକୁ ପୂଜା କରିବାକୁ ଯାଇଥିବାବେଳେ ପରିସରରେ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ଚକ୍କିତ ହୋଇଥିଲେ। ପରେ ସେମାନେ ଏ ନେଇ ପୋଲିସକୁ ଖବର ଦେବା ସହିତ ଅଭିଯୁକ୍ତକୁ ମଧ୍ୟ କାବୁ କରିଥିଲେ। ପୋଲିସ କହିଛି ଯେ ଏହି ଘଟଣାର ତଦନ୍ତ ଚାଲିଛି।