ଭୁବନେଶ୍ୱରରେ ପହଂଚିଲା ୨ ଓଡ଼ିଆ ସହିଦ୍ଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ଯବାନ୍ ସହିଦ୍ ହୋଇଥିଲେ । ସେମାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଯବାନ ଥିଲେ । ତେବେ ଏହି ୨ଜଣ ଓଡ଼ିଆ ଯବାନ୍ଙ୍କ ପାର୍ଥିବ ଶରୀର ଶନିବାର ଅପରାହ୍ନରେ ଭୁବନେଶ୍ୱରର ବିମାନବନ୍ଦରରେ ପହଂଚିଛି । ସେମାନଙ୍କ ମଧ୍ୟରୁ ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲାରେ ହୋଇଥିବାବେଳେ ଯବାନ ମନୋଜ କୁମାର ବେହେରାଙ୍କ ଘର କଟକ ଜିଲ୍ଲା ନିଆଳି ଅଂଚଳରେ ଥିବା ରତନପୁର ଗ୍ରାମରେ ।ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ମରଶରୀରକୁ ଭୁବନେଶ୍ୱର ଅଣାଯାଇଛି। ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବିମାନବନ୍ଦର ପରିସରରେ ଭିଡ ମଧ୍ୟ ରହିଛି । ରାଜନେତାଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର‌୍ୟ୍ୟନ୍ତ ସମସ୍ତେ ଏକାଠି ହୋଇଛନ୍ତି । ସିଆରଏଫ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ବିମାନ ବନ୍ଦରର ପରିସରରେ ଏକ ଅସ୍ଥାୟୀ ପିଣ୍ଡି ପ୍ରସ୍ତୁତ ମଧ୍ୟ ହୋଇଛି । ସେଠାରେ ବୀର ଯବାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯିବ।