ପାକିସ୍ତାନ ବାୟୁସେନାର ବିମାନ ଦୁର୍ଘଟଣା; ୨ ପାଇଲଟ ମୃତ

ଇସଲାମାବାଦ: ପାକିସ୍ତାନର ମିଆନୱାଲିଠାରେ ପାକିସ୍ତାନର ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ସେଥିରେ ୨ଜଣ ପାଇଲଟ ମୃତ୍ୟୁବରଣ କରିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର  ମିଆନଓ୍ଵାଲି ସ୍ଥିତ ଏମ.ଏମ. ଆଲମ ଏୟାରବେସ୍‌ ନିକଟରେ ପାକିସ୍ତାନ ବାୟୁସେନାର ଏଫଟି-୭ ବିମାନ ଉଡ଼ାଣ ଆରମ୍ଭ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ଖସିପଡ଼ିଥିଲା । ଏହା ଫଳରେ ବିମାନରେ ଥିବା ପାକିସ୍ତାନ ବାୟୁସେନାର ସ୍କ୍ଵାର୍ଡନ ଲିଡର ହ୍ୟାରିସ ବିନ ଖାଲିଦ ଓ ଫ୍ଲାଇଙ୍ଗ ଅଫିସର ଇବାଦୁର ରେହେମାନ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ ।

ଏହି ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ । ପାକିସ୍ତାନ ବାୟୁସେନା ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏଫଟି-୭ ବିମାନ ଚୀନରେ ନିର୍ମିତ । ପାକିସ୍ତାନ ବାୟୁସେନାରେ ଏବେ ୫୦ଟି ଚୀନ ନିର୍ମିତ ବିମାନ ରହିଛି । ତେବେ ଏହି ବିମାନଗୁଡ଼ିକ ନିୟମିତଭାବେ ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ପାକିସ୍ତାନର ଚିନ୍ତା ବଢିଯାଇଛି ।

ଗତ ବର୍ଷ ଜାନୁଆରି ମାସରେ ପାକିସ୍ତାନ ବାୟୁସେନାର ଏପରି ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ପାଇଲଟଙ୍କ ସମେତ ୫ ଜଣ ନିହତ ହୋଇଥିଲେ । ଗତବର୍ଷ ଜୁଲାଇ ୧୮ରେ ପାକିସ୍ତାନ ବାୟୁସେନାର ଏକ ବିମାନ ରାୱଲପିଣ୍ଡି ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣ ସେନା କର୍ମଚାରୀଙ୍କ ସମେତ ୧୮ ଜଣ ମୃତ୍ୟୁବରଣ କରିଥିଲେ ।