ଫାରୁକ୍‌ ଅବଦୁଲ୍ଲାଙ୍କୁ ଭେଟିଲେ ଦଳୀୟ କର୍ମୀ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନେଶନାଲ କନଫରେନସ(ଏନସି)ର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲାଙ୍କୁ ଆଜି ନିଜ ଦଳର ୧୫ ଜଣିଆ ପ୍ରତିନିଧି ଦଳ ଭେଟିଛନ୍ତି। ଫାରୁକଙ୍କୁ ତାଙ୍କ ଶ୍ରୀନଗର ବାସଭବନରେ ଓ ଷ୍ଟେଟ ଗେଷ୍ଟ ହାଉସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ଉପାଧ୍ୟକ୍ଷ ଉମର ଅବଦୁଲ୍ଲାଙ୍କୁ ଭେଟିଛନ୍ତି ଏନସି ପ୍ରତିନିଧି ଦଳ।

ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହି ଦୁଇ ନେତା ଗୃହବନ୍ଦୀ ରହିଛନ୍ତି। ହିଂସା ଆଶଙ୍କା ଯୋଗୁଁ ଅନେକ ନେତାଙ୍କୁ ଜମ୍ମୁ ପ୍ରଶାସନ ବନ୍ଦୀ କରିରଖିଛି। ଯେଉଁଥିରେ ପିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଧ୍ୟ ଅନ୍ତର୍ଭୁକ୍ତ।

ଗତକାଲି ଫାରୁକ୍ ଏବଂ ଉମରଙ୍କୁ ଭେଟିବା ପାଇଁ ଏନସି ନେତା ରାଜ୍ୟପାଳ ସତ୍ୟ ପାଲ୍ ମଲ୍ଲିକଙ୍କୁ ଭେଟି ଅନୁମତି ମାଗିଥିଲେ। ଏହାପରେ ରାଜ୍ୟପାଳ ଅନୁମତି ଦେଇଥିଲେ।

ଫାରୁକଙ୍କ ସହ ବୈଠକ ପରେ ଦଳର ମୁଖପାତ୍ର କହିଛନ୍ତି, ବୈଠକରେ ସର୍ବସମ୍ମତିକ୍ରମେ ଦଳର ନେତାମାନେ ସାମ୍ପ୍ରଦାୟିକ ଏକତା ଏବଂ ସଦଭାବ ମଜବୁତ ରଖିବା ପାଇଁ ଶେର-ଇ-କଶ୍ମୀର ଶେଖ ମହମ୍ମଦ ଅବଦୁଲ୍ଲାଙ୍କ ସ୍ୱପ୍ନ ପୂରଣ କରିବାକୁ ଶପଥ ନେଇଛନ୍ତି।

ଧାରା ୩୭୦ ଉଚ୍ଛେଦକୁ ୨ ମାସ ପୂରଣ ହୋଇସାରିଛି। ନଭେମ୍ୱରେ ଜମ୍ମୁ କଶ୍ମୀର ଓ ଲଦାକ ଦୁଇଟି କେନ୍ଦ୍ରଶାସିତ ରାଜ୍ୟ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।