ଯୁକ୍ତ ୨ ପ୍ରଥମ ବର୍ଷର ପରୀକ୍ଷାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାଧ୍ୟତାମୂଳକ ଓ ପ୍ରଥମ ବର୍ଷ ପାସ୍ କୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲାଗିଥିବା ତୀବ୍ର ଅସନ୍ତୋଷକୁ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ପରୀକ୍ଷାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ କଲେଜରେ ପ୍ରଥମ ବର୍ଷ ପରୀକ୍ଷା ହେବ। ଏଥର ପ୍ରଥମ ବର୍ଷ ପରୀକ୍ଷାକୁ ବ୍ୟବସ୍ଥିତ ଭାବେ କରାଯିବ। ଛାତ୍ରଛାତ୍ରୀଙ୍କୁ ଫେଲ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ।

ସୂଚନାନୁଯାୟୀ, ଚଳିତ ବର୍ଷ ଯୁକ୍ତ ୨ ପ୍ରଥମ ବର୍ଷରେ ୩୩ ପ୍ରତିଶତ ମାର୍କ ରଖିଲେ ଯାଇ ଦ୍ଵିତୀୟ ବର୍ଷକୁ ଉତୀର୍ଣ୍ଣ
ହୋଇପାରିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଅନେକ କଲେଜରେ ପାଠ୍ୟକ୍ରମ ସରି ନାହିଁ। ତେଣୁ ଏତେ ଶୀଘ୍ର କିଭଳି ଭାବରେ ପରୀକ୍ଷା ପ୍ରସ୍ତୁତି ହେବ ସେନେଇ ଛାତ୍ରଛାତ୍ରୀମାନେ ଚିନ୍ତିତ ଅଛନ୍ତି। ଏଥିପାଇଁ ଆଜି ବିଭିନ୍ନ କଲେଜରେ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ବିଜେପି କଲେଜ, ମହର୍ଷି କଲେଜ ଓ ଏକାମ୍ର କଲେଜର ଛାତ୍ରଛାତ୍ରୀମାନେ ଆଜି ଟାୟାର ଜାଳି ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି।