ଭୁବନେଶ୍ୱର: +୨ ପରୀକ୍ଷା ଶାନ୍ତିଶୃଙ୍ଖଳା ସହ ଚାଲିଛି । ଅନ୍ୟପକ୍ଷରେ ପରୀକ୍ଷାର୍ଥୀ ଉତର ଖାତାରେ ସଠିକ ତଥ୍ୟ ଦେଉ ନଥିବା ପରିଷଦ ନଜରକୁ ଆସିଛି । କିଏ ରୋଲ୍ ନମ୍ବର ଭୁଲ୍ ଲେଖୁଛନ୍ତି ତ ଆଉ କିଏ ବିଷୟ ଓ ପେପର୍କୁ ସଠିକ୍ ଭାବେ ଉଲ୍ଲେଖ କରୁନାହାନ୍ତି। ଏମିତିକି ଇନ୍ଭିଜିଲେଟର ବିନା ଯାଂଚରେ ଉତର ଖାତାରେ ଦସ୍ତଖତ କରି ଦେଉଛନ୍ତି। ଏଭଳି ଏକାଧିକ ଘଟଣା ନଜରକୁ ଆସିବା ପରେ ପରିଷଦ ପକ୍ଷରୁ ପରୀକ୍ଷାର୍ଥୀ ଓ ଇନ୍ଭିଜିଲେଟରଙ୍କ ପାଇଁ ନିର୍ଦେଶନାମା ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ପରୀକ୍ଷାର୍ଥୀ ସେମାନଙ୍କ ଉତର ଖାତାରେ ରୋଲ୍ ନମ୍ବର, ରେଜିଷ୍ଟେସନ ନମ୍ବର, ବିଷୟ/ପେପର, କେଉଁ ସେଟ୍ର ପ୍ରଶ୍ନପତ୍ର ଆଦିକୁ ଉତର ଖାତାର କଭର୍ ପୃଷ୍ଠାରେ ଲେଖିବେ। ଉତର ଖାତାର ଆଉ କୌଣସି ବି ସ୍ଥାନରେ ନିଜର ରୋଲ ନମ୍ବର କିମ୍ବା ଅନ୍ୟ କୌଣସି ତଥ୍ୟ ଲେଖିବେ ନାହିଁ। ଯଦି କୌଣସି ପରୀକ୍ଷାର୍ଥୀ ଭୁଲ୍ ରୋଲ୍ ନମ୍ବର ଲେଖୁଥିବେ, ତେବେ ତାହାକୁ ଅପରାଧ ବୋଲି ଧରାଯିବ।
ଯେଉଁ ଉତର ଖାତାରେ ସଠିକ୍ ସୂଚନା ଦିଆଯାଇ ନ ଥିବ ତାହାକୁ ମୂଲ୍ୟାୟନ କରାଯିବ ନାହିଁ। ଉତର ଖାତା ପାଇବା କ୍ଷଣି ପରୀକ୍ଷାର୍ଥୀ ରୋଲ୍ ନମ୍ବର ଲେଖନ୍ତୁ। ଇନ୍ଭିଜିଲେଟରମାନେ ମଧ୍ୟ ଉତର ଖାତାଗୁଡ଼ିକୁ ଭଲ ଭାବେ ଯାଂଚ କରନ୍ତୁ। ଯଦି କୌଣସି ଇନ୍ଭିଜିଲେଟର ନିଜ କର୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି।ଅନ୍ୟପକ୍ଷରେ ବାକି ଥିବା ବିଷୟଗୁଡ଼ିକର ପରୀକ୍ଷା ପାଇଁ ୧୨ ତାରିଖଠାରୁ ଦ୍ବିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ। ୧୨ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ୨୦୨ଟି ପରୀକ୍ଷା ପରିଚାଳନା ହବ୍ରେ ପ୍ରଶ୍ନପତ୍ର ପହଂଚିବ। କେଉଁ ହବ୍ ଓ ପରୀକ୍ଷା କେନ୍ଦ୍ର ପାଇଁ କେତେ ପ୍ରଶ୍ନପତ୍ରର ଆବଶ୍ୟକତା ରହିଛି ତାହାର ସବିଶେଷ ତଥ୍ୟ ୧୨ ତାରିଖ ଅପରାହ୍ନ ୪ଟା ସୁଦ୍ଧା ପରିଷଦ ନିକଟରେ ଦାଖଲ କରିବାକୁ କୁହାଯାଇଛି।