ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ : ୨୩୭୫ଟି ସମ୍ବେଦନଶୀଳ ଓ ୩୦ଟି ମହିଳା ବୁଥ୍‍

ଭୁବନେଶ୍ୱର : ଗୁରୁବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନେ ଇଭିଏମ୍ ସମେତ ନିର୍ବାଚନ ସାମଗ୍ରୀ ଧରି ମତଦାନ କେନ୍ଦ୍ରରେ ପହଞ୍ଚିବାରେ ଲାଗିଛନ୍ତି। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର,ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। କଳାହାଣ୍ଡି ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଏବଂ ନର୍ଲା ବିଧାନସଭା ଆସନ, ସେହିପରି ନବରଙ୍ଗପୁର ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ପଟାଙ୍ଗୀ, ମାଲକାନାଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନରେ ସେହିଦିନ ମତଦାନ କରାଯିବ। ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧିନସ୍ଥ  ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ବିଧାନସଭା ଆସନରେ ମଧ୍ୟ ଗୁରୁବାର ଦିନ ମତଦାନ ଅନୁଷ୍ଠିତ ହେବ। ସେହିପରି କୋରାପୁଟ ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର ଓ କୋରାପୁଟ ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ।
ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ମିଳିଥିବା ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୬୦ଲକ୍ଷ ୩ ହଜାର ୭୦୭ ଭୋଟର ମତଦାନ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୨୯ଲକ୍ଷ ୭୨ ହଜାର ୯୨୫ ପୁରୁଷ, ୩୦ଲକ୍ଷ ୩୦ ହଜାର ୨୨୨ ମହିଳା, ୫୬୦ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ଏହି ପର୍ଯ୍ୟାୟର ମତଦାନ ପରିଚାଳନା ପାଇଁ ୪୭ ହଜାର ୮୦୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରୁ ୪୭ହଜାର ୧୧୫ ଜଣ ପୁରୁଷ ଓ ୬୯୦ ଜଣ ମହିଳା ଅଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୭ ହଜାର ୨୩୩ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ସେଥିମଧ୍ୟରୁ ୨ ହଜାର ୩୭୫ଟି ସମ୍ବେଦନଶୀଳ ବୁଥ୍‍ ରହିଥିବା ବେଳେ ୩୦ଟି ମହିଳା ବୁଥ୍‍ ଖୋଲାଯାଇଛି । ଏହି ମହିଳା ବୁଥରେ କେବଳ ମହିଳା କର୍ମଚାରୀମାନେ ବୁଥ୍‍ ପରିଚାଳନା କରିବେ। ଭୋଟ ସାମଗ୍ରୀ ନେବା ପାଇଁ ୮ ହଜାର ୮୭୭ଟି ଯାନବାହାନ ନିୟୋଜିତ କରାଯାଇଛି।

ସେହିପରି  ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୩ ହଜାର ୩୦୭ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ନାମ ପଞ୍ଜିକରଣ କରାଯାଇଛି। ସେମାନେ କିଭଳି ସୁରୁଖୁରୁରେ ମତଦାନ କରିପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ୬ ହଜାର
୯୮୮ ବୁଥରେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହ୍ୱିଲଚେୟାରର ବ୍ୟବସ୍ଥା କରାଯାଇଛି। ୫ ହଜାର ୫୧ ପୋଲିଂ ଷ୍ଟେସନ୍‍କୁ ବ୍ରେଲି ଡମି ବାଲାଟ୍‍ ପେପର୍‍ ପଠାଯାଇଛି । ଦିବ୍ୟାଙ୍କ ଭୋଟରଙ୍କୁ ସହାୟତା କରିବା ସକାଶେ ୧୨ ହଜାର ୧୬୨ ଜଣ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେମାନଙ୍କୁ ନେବାଆଣିବା କରିବା ପାଇଁ ୨ହଜାର ୬୧୭ଟି ଗାଡ଼ିର ବ୍ୟବସ୍ଥା କରାଯାଇଛି।
ନକ୍ସଲ ପ୍ରଭାବିତ ଅଞ୍ଚଳରେ ବ୍ୟବହାର ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୨ଟି ଏମ୍‍ଆଇ ୧୭ ହେଲିକପ୍ଟର ଯୋଗାଇ ଦିଆଯାଇଛି। ସମ୍ବେଦନଶୀଳ ବୁଥ୍‍ଗୁଡ଼ିକରେ ସଶସ୍ତ୍ର ପୁଲିସ୍‍ ସହ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଛି। ସବୁ ବୁଥରେ ସିସିଟିଭି ଲଗାଯିବା ସହ ୱେବ୍‍କାଷ୍ଟିଂ କରାଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ମାଇକ୍ରୋ ଅବ୍‍ଜରଭରମାନଙ୍କୁ ମତଦାନ ତଦାରଖ କରିବା ପାଇଁ ନିୟୋଜିତ କରାଯାଇଛି। ତେବେ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୨ଟିରେ ସମୟ କଟକଣା ଲାଗିଛି। ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ଅନ୍ୟ ୬ଟି ସ୍ଥାନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍‍ ଗ୍ରହଣ କରାଯିବ।