ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୬୦ଲକ୍ଷରୁ ଉର୍ଦ୍ଧ୍ୱ ମତଦାତା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ୟ୍ୟାୟ ନିର୍ବାଚନରେ ୭,୨୩୩ ବୁଥରେ ୨୯,୭୨,୯୨୫ ପୁରୁଷ ଭୋଟର, ୩୦,୩୦,୨୨୨ ମହିଳା ଭୋଟର ଓ ୫୬୦ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୬୦ ଲକ୍ଷ ୩ ହଜାର ୭୦୭ ଭୋଟର ସେମାନଙ୍କ ମତଦାନ କରିବୋ

କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଆଦି ଚାରିଟି ଲୋକସଭା ଆସନ ଏବଂ ଏହି ସମସ୍ତ ଲୋକସଭା ଆସନ ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ୟ୍ୟାୟ ଲୋକସଭା ନିର୍ବାଚନରେ ୨୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ। ଏମାନଙ୍କ ମଧ୍ୟରେ ୨୪ ପୁରୁଷ ଓ ୨ ମହିଳା ଅଛନ୍ତି। ଏହି ନିର୍ବାଚନରେ ୨୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ଜଣ ଜାତୀୟ, ୪ଜଣ ରାଜ୍ୟସ୍ତରୀୟ ଏବଂ ୭ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ପ୍ରଥମ ପର୍ୟ୍ୟାୟ ବିଧାନସଭା ନିର୍ବାଚନରେ ୧୯୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ। ଏମାନଙ୍କ ମଧ୍ୟରେ ୧୭୫ ପୁରୁଷ ଓ ୧୬ ମହିଳା ପ୍ରାର୍ଥୀ ଅଛନ୍ତି। ଏହି ନିର୍ବାଚନରେ ୧୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୭୯ ଜାତୀୟ, ୨୮ ରାଜ୍ୟସ୍ତରୀୟ, ୩୮ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୪୬ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି।