ରାଜଧାନୀରେ ସୁସ୍ଥ ହେଲେ ୧୯ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ ରବିବାର ୧୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ସୁସ୍ଥ ହୋଇଥିବା ୧୯ଜଣଙ୍କ ମଧ୍ୟରେ ନୟାପଲ୍ଲୀ ସାବର ସାହିର ୧୫ବର୍ଷର ଜଣେ ବାଳକ ଓ ୨୦ବର୍ଷର ଜଣେ ବାଳିକା ରହିଛନ୍ତି। ସେହିପରି ସହିଦ ନଗର ଅଞ୍ଚଳରୁ ୨୪ବର୍ଷର ଯୁବତୀ, ମଞ୍ଚେଶ୍ୱର ଅଞ୍ଚଳସ୍ଥ ରେଳବାଇର ଓ୍ଵାର୍କସପ୍‌ରୁ ୫୩ବର୍ଷର ପୁରୁଷ, ୧୪ବର୍ଷର ବାଳକ ଓ ୪୬ବର୍ଷର ମହିଳା ଏବଂ ଚନ୍ଦ୍ରଶେଖରପୁର ଆଦିତ୍ୟ କେୟାର ହସ୍‌ପିଟାଲ ଅଞ୍ଚଳରୁ ଜଣେ ୨୫ବର୍ଷୀୟ ପୁରୁଷ ସୁସ୍ଥ ହୋଇଛନ୍ତି।

କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ୫ଜଣ ସୁବାଷ ନଗର ବସ୍ତି ଅଞ୍ଚଳରେ ରହୁଥିଲେ। ସୁସ୍ଥ ହୋଇଥିବା ୫ଜଣଙ୍କ ବୟସ ୨୪ବର୍ଷ, ୧୯ବର୍ଷ, ୧୮ବର୍ଷ, ୧୫ବର୍ଷ ଓ ୧୮ବର୍ଷ ମଧ୍ୟରେ ରହିଛି। ସେହିପରି ସୁସ୍ଥ ହୋଇଥିବା ୨୫ବଷୀୟ ପୁରୁଷଙ୍କ ଘର ଅନ୍ୟ ଜିଲ୍ଲାରେ, ସେ ରାଜଧାନୀରେ ବସବାସ କରୁଥିଲେ। ପଟିଆ ପ୍ରଶାନ୍ତି ବିହାର ଅଞ୍ଚଳରୁ ଜଣେ ୩୮ବର୍ଷୀୟ ପୁରୁଷ ଓ ଜଣେ ୩୦ବର୍ଷୀୟ ମହିଳା ସୁସ୍ଥ ହୋଇଛନ୍ତି। କେବଳ ଏତିକି ନୁହେଁ, ଡୁମ୍‌ଡୁମା ଅଞ୍ଚଳରୁ ଜଣେ ୩୭ ବର୍ଷୀୟ ପୁରୁଷ, ସୈନିକ ସ୍କୁଲ ଅଞ୍ଚଳରୁ ଜଣେ ୩୮ବର୍ଷୀୟ ପୁରୁଷ ଓ ଦୁଇଜଣ ରେଳବାଇର କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି। ଦୁଇଜଣ ପୁରୁଷ ରେଳ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କ ବୟସ ୪୪ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୩୨ବର୍ଷ ମଧ୍ୟରେ ରହିଛି।

ସୁସ୍ଥ ହୋଇଥିବା ୧୯ଜଣଙ୍କ ସ୍ୱାବ ପରୀକ୍ଷା ହୋଇଥିଲା। ସ୍ୱାବରୁ କୋଭିଡ-୧୯ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସମସ୍ତଙ୍କୁ ହସ୍‌ପିଟାଲ୍‌ରୁ ଛୁଟି ମିଳିଥିଲା।