ସ୍ଲୋଗାନରେ ସଡକ ସୁରକ୍ଷା : ଦୁର୍ଘଟଣାରେ ଦେଶରେ ଘଣ୍ଟାକରେ ଯାଉଛି ୧୭ ଜୀବନ

ନୂଆ ମୋଟର ଯାନ ଆଇନ ପରେ ଓଡିଶାରେ କମିଛି ୧୯ ପ୍ରତିଶତ ଦୁର୍ଘଟଣା

ଭୁବନେଶ୍ବର : ସଡକ ସୁରକ୍ଷା ଜୀବନ ରକ୍ଷା । ଏମିତି ନାରା ଦେଇ ସଡକ ସୁରକ୍ଷା ଅଭଯାନ ଆଗକୁ ବଡୁଛି ।  ହେଲେ ଦୁର୍ଘଟଣା ରୋକିବା ଏବେ ସବୁଠୁ ବଡ ଚ୍ୟାଲେଞ ହୋଇଛି । ସାରା ଦେଶରେ ପ୍ରତି ଘଣ୍ଟାରେ ୧୭ ଜଣଙ୍କ ଜୀବନ କେବଳ ଦୁର୍ଘଟଣାରେ ଯାଉଛି । ଆଉ ସେମାନଙ୍କ ଭିତରେ କେବଳ ୭୦ ପ୍ରତିଶତ ଯୁବକ ଅଛନ୍ତି । ଓଡିଶାରେ ଗତ ବର୍ଷକରେ ଦୁର୍ଘଟଣାରେ ଯାଇଛି  ୫ ହଜାର ୩୧୫ ଜଣଙ୍କ ଜୀବନ ।  ଦେଶରେ ଦୁର୍ଘଟଣାରେ ୧୦୦ରେ ୩୨ ଜଣଙ୍କ ମୃତ୍ୟୁ ଘଟୁଥିବାବେଳେ ଓଡ଼ିଶାରେ ୪୭ ଜଣଙ୍କ ମୃତ୍ୟୁ ଘଟୁଛି । ତେବେ ନୂଆ ମୋଟର ଯାନ ଆଇନ ଆସିବା ପରେ ଓଡିଶାରେ ଗତ ବର୍ଷ ଏହି ସମୟ ତୁଳନାରେ ୧୯ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ ହାର କମିଛି । ତେବେ ଜାତୀୟ ରାଜପଥ ରେ ଥିବା ତୃଟି ସୁଧାରିବା ସହ  ଓ ଆଇନକୁ ଆହୁରୀ କଡା କଡି କରି ଦୁର୍ଘଟଣା କମାଇବାକୁ ରାଜ୍ୟ ସଡକ ସୁରକ୍ଷା ପରିଷଦ ବୈଠକରେ ସ୍ଥିର ହୋଇଛି ।

ଦୁର୍ଘଟଣାରେ ସାରା ଦେଶରେ ପ୍ରତିଘଣ୍ଟାରେ ଯାଉଛି ୧୭ ଜୀବନ । ଆମ ରାଜ୍ୟରେ ଏହି ହାର ଜାତୀୟ ହାର ଠାରୁ ବେଶ ଆଗରେ ରହିଛି । ଦେଶରେ ଦୁର୍ଘଟଣାରେ ୧୦୦ରେ ୩୨ ଜଣଙ୍କ ମୃତ୍ୟୁ ଘଟୁଥିବାବେଳେ ଓଡ଼ିଶାରେ ୪୭ ଜଣଙ୍କ ମୃତ୍ୟୁ ଘଟୁଛି । ୨୦୧୮ ରେ ଦେଶରେ ୧.୫୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ଓଡ଼ିଶାରେ ୫ ହଜାର ୩୧୫ ଲୋକଙ୍କ ଜୀବନ ଦୁର୍ଘଟଣା କାରଣରୁ ଯାଇଛି  ଓ ୫ ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି ।  ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ୭୦ ପ୍ରତିଶତହେଉଛନ୍ତି  ଯୁବକ । ୨୦୧୪ ରୁ ୨୦୧୮ ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ହାର ୩୫.୨ ପ୍ରତିଶତ ବଢିଛି । ୨୦୧୯ ବର୍ଷ ଆରମ୍ଭରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ହଜାର ୧୧୫ ଜଣଙ୍କ ମୃତ୍ୟୁ ହୋଇଛି ।  ରାଜ୍ୟର ବୌଦ୍ଧ, ରାୟଗଡା, ସୋନପୁର, କନ୍ଧମାଳ, ଦେବଗଡ଼, ମାଲକାନଗିରି ଆଦି ଜିଲ୍ଲା ସର୍ବାଧିକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାଲଟିଛି । ଦେବେ ଆଶ୍ବସ୍ଥିର କଥା ହେଉଛି ନୂଆ ମୋଟର ଯାନ ଆଇନ ଆସିବା ପରେ ରାଜ୍ୟରେ ୧୯ ପ୍ରତିଶତ ଦୁର୍ଘଟଣା କମିଛି । ଦୁର୍ଘଟଣା କମାଇବାକୁ ଏବେ ନିୟମକୁ ଆହୁରୀ କଡା କଡି କରିବାକୁ ରାଜ୍ୟ ସଡକ ସୁରକ୍ଷା ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି ।  ମଦ୍ୟପ ଗାଡି ଚାଳକଙ୍କ ଉଫରେ କାର୍ଯ୍ୟନୁଷ୍ଠାନ ଆହୁରି କଡା ହେବା ସହ ଏଣିକି ସହର ଭଳି ଗ୍ରାମାଞ୍ଚଳରେ ବି ମୋଟର ଯାନ ଆଇନକୁ କଡା କଡି କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ରାଜ୍ୟରେ ଜାତୀୟ ରାଜପଥରେ ଅଧିକ ଦୁର୍ଘଟଣା ବଢୁଥିବାରୁ ଏହାକୁ ନେଇ ସଡକ ସୁରକ୍ଷା ପରିଷଦରେ ଉଦବେଗ ପ୍ରକାଶ ପାଇଛି । ଜଳେଶ୍ବରରୁ- ଇଚ୍ଛାପୁର, ଭୁବନେଶ୍ୱରରୁ -ପୁରୀ, ସମ୍ବଲପୁରରୁ- ସୋହେଲା, ସମ୍ବଲପୁରରୁ- ରାଉରକେଲା  ଓ ମଙ୍ଗୁଳିରୁ  -ସମ୍ବଲପୁର ଜାୟୀୟ ରାଜପଥରେ ଦୁର୍ଘଟଣା ଅଧିକ ଘଟୁଛି ।  ଜାତୀୟ ରାଜପଥ ଅନେକସ୍ଥାନରେ ସଠିକ ଭାବେ ନିର୍ମାଣ ନହେବା, ସର୍ଭିସ ରୋଡ଼ ସଠିକ ଭାବେ ନିର୍ମାଣ ହୋଇନଥିବା ଏହାର କାରଣ ବୋଲି କୁହାଯାଉଛି ।ରାଜ୍ୟର ଜାତୀୟ ରାଜପଥର 1452 ଟ୍ରାଫିକ junctionରେ ଦୁର୍ଘଟଣା ଘଟୁଥିବାରୁ RTO ଓ ଅନ୍ୟ ସଦସ୍ୟଙ୍କୁ ନେଇ ତଦନ୍ତ ଟିମ  ଯାଞ୍ଚ କରିବ । ଏହି ସବୁ ଅଞ୍ଛଳରେ ପାଟ୍ରୋଲିଙ୍ଗ ଲାଗି ପରିବହନ ବିଭାଗ  10କୋଟି ଟଙ୍କା ପୋଲିସକୁ ଦେଇଛି । ଏଥିରେ ଯେଉଁଥି ପାଟ୍ରୋଲିଂ ବଢ଼ା ଯିବ, ଆମ୍ବୁଲାନ୍ସ ବୃଦ୍ଧି ହେବ, କର୍ମଚାରୀ ବୃଦ୍ଧି ହେବ, ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ବି ନିୟୋଜିତ କରାଯିବ। ମୋଟର ଯାନ ଆଇନ କଡା କଡି ଲାଗି ପୋଲିସକୁ ଅଧିକ କ୍ଷମତା ଦିଆଯିବ ବୋଲି  ପରିବହନ ସଚିବ ଜି. ଶ୍ରୀନିବାସ କହିଛନ୍ତି ।

ବର୍ତ୍ତମାନ୍ ସୁଦ୍ଧା ୮ ହଜାର ମଦ୍ୟପ ଡ୍ରାଇଭର ଗିରଫ ହୋଇଛନ୍ତି । ୭୫୦ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁର୍ଘଟଣାର ୪୮ ଘଣ୍ଟା ଭିତରେ ଭୁବନେଶ୍ବର ଓ କଟକର କିଛି ଘରୋଇ ହସପିଟାଲରେ ମାଗଣା ଚିକିତ୍ସା ମିଳୁଥିଲା । ତାହା ଏବେ ସମ୍ବଲପୁର ଓ ଝାରସୁଗୁଡାକୁ ବୃଦ୍ଧି କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି ।ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଦ୍ଵିତୀୟ ବୈଠକରେ  ମନ୍ତ୍ରୀ ପଦ୍ମନାଭ ବେହେରା, ସଚିବ ଜି. ଶ୍ରୀନିବାସନ, କମିଶନର ସଞ୍ଜୀବ ପଣ୍ଡା, କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟୟ, ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ