କୋରୋନା ଯୋଗୁଁ ଜେଲରୁ ବାହାରିବେ ପ୍ରାୟ ୧୭ଶହ ବିଚରାଧୀନ ବନ୍ଦୀ

କଟକ: କୋରୋନା ମହାମାରୀକୁ ରୋକିବା ପାଇଁ ରାଜ୍ୟର ୮୭ଟି ଜେଲରୁ ପ୍ରାୟ ୧୭ଶହ ବିଚରାଧୀନ ବନ୍ଦୀ ବାହାରିବେ । ଏମାନଙ୍କ ସହ ବହୁ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କୁ ମଧ୍ୟ ଜାମିନରେ ମୁକ୍ତ କରାଯିବ । କୋରୋନା ସଂକ୍ରମଣ ଆଶଙ୍କା ଥିବା ବେଳେ ଜେଲରେ ଥିବା ବନ୍ଦୀଙ୍କ ପ୍ରସଂଗକୁ ନେଇ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଆଧାରରେ ଗଠିତ ଉଚ୍ଚ କ୍ଷମତା ସଂପନ୍ନ (ହାଇ ପାୱାର୍‌ଡ୍) କମିଟି ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ସହିତ ଜାରି କରାଯାଇଥିବା ନିୟମାବଳୀ ଆଧାରରେ ଜେଲରେ ଥିବା ବନ୍ଦୀଙ୍କୁ ଏବେ ମୁକ୍ତ କରାଯିବ। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷା କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା ଓ ଜେଲ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଉପସ୍ଥିତ ଥିଲେ।

ଜେଲରେ ଭିଡ଼ ଏଡାଇବା ପାଇଁ ତଥା ବନ୍ଦୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ମଙ୍ଗଳ ପାଇଁ କମିଟି କେତେକ ନିୟମାବଳୀ ଜାରି କରିଛି। ଏପରି ନିୟମାବଳୀ ଆଧାରରେ କର୍ତୃପକ୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ବନ୍ଦୀଙ୍କୁ ଯଥାଶୀଘ୍ର ପାରୋଲ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବେ। ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ୭ ବର୍ଷ ବା ତା’ଠାରୁ କମ୍ କାରାଦଣ୍ଡ ପାଇ ଜେଲରେ ଥିବା ବନ୍ଦୀଙ୍କୁ ପାରୋଲରେ ମୁକ୍ତ କରାଯିବ। ଏପରି ବନ୍ଦୀଙ୍କୁ ଜେଲ ସହିତ ଜରିମାନା ଦଣ୍ଡ ମିଳିଥିଲେ ମଧ୍ୟ ଜେଲରୁ ଛଡ଼ାଯିବ। ୭ ବର୍ଷ ବା ତା’ଠାରୁ କମ୍ ଜେଲ ଦଣ୍ଡ ପାଇ ଜେଲରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଯଦି‌ ଗୋଟିଏ ବା ଅଧିକ ବିଚାରାଧୀନ ମାମଲା ରହିଥିବ ତେବେ ମଧ୍ୟ ତାଙ୍କୁ ପାରୋଲ ମିଳି ପାରିବ।