ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୧୬ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏହା ସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫୮ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।
୨ଟି କେସ୍ ୟୁନିଟ୍-୪ ଶାସ୍ତ୍ରୀ ନଗର ଅଞ୍ଚଳର। ସେମାନଙ୍କ ମଧ୍ୟରୁ ଜଣେ ୭୫ ବର୍ଷୀୟ ବୃଦ୍ଧ ଓ ଅନ୍ୟ ଜଣେ ୪୦ ବର୍ଷୀୟ ଯୁବକ। ସେମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି। ସେମାନେ କୋଲକାତା ଗସ୍ତ କରିଥିଲେ। ସେହିପରି ଜଣେ ଡୁମ୍ଡୁମା ଅଞ୍ଚଳର ୨୨ ବର୍ଷୀୟ ଯୁବକ ଓ ସେ ପୁନେରୁ ଫେରିଥିଲେ। କଳିଙ୍ଗ ବିହାର ଅଞ୍ଚଳରୁ ଜଣେ ୩୪ ବର୍ଷୀୟ ଯୁବକ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି। ସେ ଓମାନରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ।
ସତ୍ୟନଗରରୁ ଗୋଟିଏ କେସ୍ ଆସିଛି। ୩୩ ବର୍ଷୀୟ ଏହି ଯୁବକ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି। ସେ ଦିଲ୍ଲୀ ଗସ୍ତ କରିଥିଲେ। ନୂଆପଲ୍ଲୀ ଶବର ସାହିର ଜଣେ ୫୪ ବର୍ଷୀୟ ବ୍ୟକ୍ତି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କର ବି ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି। ସେ ଚେନ୍ନାଇରୁ ଫେରିଥିଲେ। ରସୁଲଗଡ଼ର ନେତାଜୀ ବିହାରର ଜଣେ ୪୭ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଗୁରଗାଁଓରୁ ଫେରିଥିଲେ। ଯଦୁପୁରର ଜଣେ ୩୧ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କର ଟ୍ରାଭେଲତ ହିଷ୍ଟ୍ରୀ ଥିଲା ଓ ସେ ଦିଲ୍ଲୀରୁ ଫେରିଥିଲେ। ଆଉ ଜଣେ ୟୁନିଟ୍ ୩ର ମସ୍ଜିଦ୍ କଲୋନୀର। ସେ ଜଣେ ୬୦ ବର୍ଷୀୟା ମହିଳା। ତାଙ୍କର ସଂପର୍କୀୟ କୋଲକାତାରୁ ଫେରିଥିଲେ।
ଦୁଇଟି ଲୋକାଲ୍ କେସ୍ ମଧ୍ୟରୁ ଜଣେ ପଳାଶୁଣିର କପିଳେଶ୍ୱର ବିହାରର। ସେ ଜଣେ ୨୫ ବର୍ଷୀୟ ଯୁବକ। ସେ ନିକଟରେ ଭଦ୍ରକରୁ ଫେରିଥିଲେ। ଅନ୍ୟ ଜଣେ ଏଠାକାର ଏକ ଘରୋଇ ହସ୍ପିଟାଲ୍ର ଜଣେ ୩୨ ବର୍ଷୀୟ କର୍ମଚାରୀ ବୋଲି ବିଏମ୍ସି ସୂଚନା ଦେଇଛି।